ଟାଇମ୍ ଟେବୁଲ୍ ଓ ପରମିଟ୍ ଠିକ୍ ନଥିବା ଅଭିଯୋଗ
୩ଟି ‘ମୋ ବସ୍’କୁ ଅଟକ ରଖିଲେ ଘରୋଇ ବସ୍ ମାଲିକ
ଭୁବନେଶ୍ବରରୁ କୋଣାର୍କ ଚାଲୁଥିବା ୬ଟି ମୋ ବସ୍କୁ ଯାତାୟାତ କରିବା ପାଇଁ ଟାଇମ୍ ଟେବୁଲ ଠିକ୍ ନଥିବା ଏବଂ ପରମିଟ୍ ଠିକି ନଥିବାକୁ ନେଇ ଦୀର୍ଘଦିନ ହେବ ନିମାପଡ଼ା, କୋଣାର୍କ, କାକଟପୁର ଘରୋଇ ବସ୍ ମାଲିକ ଅଭିଯୋଗ କରିଆସୁଥିଲେ । ହେଲେ ତାଙ୍କ ଅଭିଯୋଗ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ଶୁଣୁନଥିବା ଫଳରେ ଶୁକ୍ରବାର କୋଣାର୍କ ବସଷ୍ଟାଣ୍ଡରେ ୩ଟି ମୋ ବସ୍କୁ ଅଟକ ରଖିଛନ୍ତି କୋଣାର୍କ, ନିମାପଡା, କାକଟପୁରର ଘରୋଇ ବସ୍ ମାଲିକ । ମୋ ବସ୍ ଠିକ୍ ଟାଇମରେ ଯାଉନଥିବା, ଭୁବନେଶ୍ବର, କଟକ ଯାତାୟାତ କରୁନଥିବାରୁ ଆମମାନଙ୍କର ବ୍ୟବସାୟରେ ବାଧା ଉପୁଜୁଛି l ଏପଟେ ବସ୍ ଗୁଡିକ ଚାଲୁନଥିବାରୁ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ଯିବା ହେଉ ବା ସରକାରୀ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆମେ କୌଣସି ପର୍ଯ୍ୟଟକମାନଙ୍କୁ ହଇରାଣ କରିବା ପାଇଁ ଚାହୁଁନାହୁଁ । ଆମ୍ଭମାନଙ୍କ ପେଟରେ ଲାତ ମରାଯାଇଥିବାରୁ ଆମେ ଆମ୍ଭର ୫୦ଟି ବସ୍ ବନ୍ଦ କରିବା ସହ ମୋ ବସ୍କୁ ଅଟକ ରଖିଛୁ ବୋଲି ବସ୍ ମାଲିକ କହିଛନ୍ତି । ମୋ ବସ୍ କିପରି ଟାଇମ୍ରେ ଯାତାୟାତ କରିବ ଓ ପରମିଟ୍ କରି ଆସିବ ସେଥିପ୍ରତି ସରକାର ପ୍ରଥମେ ସମୟ ଧାର୍ଯ୍ୟ କରନ୍ତୁ । ନଚେତ ଏମିତି ବସ୍ ଚଳାଚଳ ବନ୍ଦ ରହିବ ବୋଲି ନିମାପଡ଼ା, କୋଣାର୍କ, କାକଟପୁର ଘରୋଇ ବସ୍ ମାଲିକମାନେ ଜିଦ ଧରିଛନ୍ତି ।