ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ
ଭୁବନେଶ୍ବର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହେବ । ଆଜି ଅପରାହ୍ନ ୪ଟା ୫୫ ମିନିଟରେ ଭୁବନେଶ୍ୱରର ଜନତା ମଇଦାନରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

ଉପ ମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ଶପଥ ଗ୍ରହଣ ସମାରୋହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା ନିର୍ବାଚନରେ ୭୮ଟି ଆସନ ଜିଣି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ହେଲେ ମୁଖ୍ୟମନ୍ତ୍ରୀ ଚୟନ ବିଳମ୍ବିତ ହୋଇଥିଲା । ଗତକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ସିଂହ ଭୁବନେଶ୍ୱର ଆସି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ରାଜନାଥ ସିଂହ ମୋହନ ମାଝୀ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଏଥିସହ ଉପ ମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ନାମ ଘୋଷଣା କରିଥିଲେ ରାଜନାଥ। ପରେ ମୋହନ ମାଝୀ ରାଜଭବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କଠାରେ ବିଧିବଦ୍ଧ ଦାବି ଉପସ୍ଥାପନ କରିଥିଲେ ।
ଶପଥ ଗ୍ରହଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସେହିଭଳି ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି ଓ ଶିଳ୍ପପତିମାନେ ମଧ୍ୟ ଅତିଥି ଭାବେ ଯୋଗଦେବେ। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସମଗ୍ର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାନୁସାରେ ଅପରାହ୍ଣ ୨ଟା ୧୦ ମିନିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ପ୍ରଧାନମନ୍ତ୍ରୀ ସିଧା ରାଜଭବନ ଯିବେ। ପାଖାପାଖି ୪ଟା ୩୦ ମିନିଟ୍ରେ ରାଜଭବନରୁ ବାହାରି ୪ଟା ୪୫ ମିନିଟ୍ରେ ଜନତା ମୈଦାନରେ ପହଞ୍ଚି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ରାଜଭବନ ଛକରୁ ଜନତା ମୈଦାନ ଯିବା ବାଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଦଳୀୟ କର୍ମୀଙ୍କ ସାଙ୍ଗକୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହେବେ। ରୋଡ୍ ସୋ’ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ କମିସନରେଟ୍ ପୁଲିସ ସମସ୍ତ ଦିଗକୁ ନଜରରେ ରଖି ନିଜକୁ ପ୍ରସ୍ତୁତ ରଖିଛି।
ସେହିପରି ୧୮ ଜଣ ଅତିରିକ୍ତ ଏସ୍ପି, ୫୮ ଜଣ ଡ଼ିଏସପି, ୯୪ ଇନ୍ସପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡଡେଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ । ଶପଥ ସମାରୋହ ହେବାକୁ ଥିବା ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଛି । ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୋଲିସ ଛାଉଣୀ । ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଛି । ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି ।