ପାର୍କରେ ପ୍ରାତଃଭ୍ରମଣ ସାରି ସବୁଦିନ ଭଳି ଆଜି ବି ସେଇ ବୟସ୍କ ଗୋଷ୍ଠୀ, ଓସ୍ତ ଗଛ ମୂଳେ ଥିବା ସିମେଣ୍ଟ ପିଣ୍ଡିରେ ଆସର ଜମାଇ ଥିଲେ। ଚାଲି ସାରିବା ପରେ, ସେମାନଙ୍କ ମଧ୍ୟରୁ କିଛି ଲୋକ ହାଲକା କସରତ କରନ୍ତି ତ କିଛି ଲୋକ ଲନ’ର ଘାସ ଉପରେ ଅଥବା ସିମେଣ୍ଟ ବେଞ୍ଚ ଉପରେ ବସି ଯୋଗ/ପ୍ରାଣାୟମ କରନ୍ତି। ତା ପରେ ଆରମ୍ଭ ହୁଏ, ସକାଳର ସବୁଠୁ ମଜାଦାର ଅଧ୍ୟାୟ। ଗପସପ, ହସ , ଥଟ୍ଟାମଜା। ତା ସହିତ ଦେଶ ବିଦେଶ ଖବର, ଦେଶ ଅର୍ଥନୀତି ଠାରୁ ନିଜ ପାସବୁକ ଟଙ୍କା ଓ ପେଟ୍ରୋଲ ଦାମ ଠାରୁ ହୋଟେଲରେ ବାହାଘର ଭୋଜିରେ ଖାଇଥିବା ବଫେ ପ୍ଲେଟର ଦାମ ଯାଏଁ। ଖବରକାଗଜ ପଢ଼ା, ଏମିତିକି ପତି, ପତ୍ନୀଙ୍କ ଭିତରେ ହୋଇଥିବା ଝଗଡା ଅଥବା ମୋବାଇଲରେ ଆସିଥିବା ମେସେଜ କିମ୍ବା ଟିଭି ସିରିଏଲର ଗତ ରାତିର କାହାଣୀ, ସବୁ ଆଲୋଚନାର ପରିସରକୁ ଆସେ।
ଆଜି ବି ସୁଦର୍ଶନ ବାବୁ ଖବରକାଗଜ ଉପରେ ଆଖି ବୁଲାଇ ଆଣି କହିଲେ,
-ଆରେ ଦେଖିଲଣି ୟୁକ୍ରେନରେ ଏ ଛୋଟ ପିଲାର ଫଟକୁ ? ପିଲାର ଖୋଲା ପିଠିରେ ତା ନାଁ, ଠିକଣା, ବାପା, ମାଙ୍କ ନାଁ ଲେଖା ହୋଇଛି।ଯୁଦ୍ଧରେ ଯଦି ପିଲାର ବାପା, ମା’ଙ୍କର କିଛି ହୋଇଯାଏ ତେବେ ଶାରଣାର୍ଥୀ ଭାବେ ଏ ପିଲାକୁ ଅନ୍ୟ ଦେଶରେ ଶରଣ ଦେଲାବେଳେ ,ପିଲା ବିଷୟରେ ଲୋକେ କିଛି ତ ଜାଣିପାରିବେ।ଓଃ, ଯୁଦ୍ଧରେ କି ଅବସ୍ଥା ସାଧାରଣ ମଣିଷର ? ଆଉ ଶରଣାର୍ଥୀଙ୍କ ଅବସ୍ଥା କହିଲେ ନସରେ।”
ପାଖରେ ବସିଥିବା ବିନୋଦ ବାବୁ କହିଲେ,
-ଶରଣାର୍ଥୀ ହେବା ଦୁନିଆରେ ସବୁଠୁ ବଡ଼ ଅଭିଶାପ। ମଣିଷ କେଉଁ ଜନ୍ମରେ କି ପାପ କରିଥିଲେ ବୋଧେ ଶରଣାର୍ଥୀ ହୁଏ। ନିଜ ଦେଶ ଛାଡି, ପର ଦେଶରେ, ଅଚିହ୍ନା ଇଲାକାରେ ଜୀବନ ବିତାଇବା ଯେ କେତେ କଷ୍ଟ ତାହା ଅନୁଭବୀ ହିଁ ଜାଣେ।”
ତାଙ୍କ ସାମ୍ନାରେ ଲନ ରେ ବସିଥିବା ସ୍ନେହଲତା ପାଣି ବୋତଲରୁ ପାଣି ଦୁଇ ଢ଼ୋକ ପିଇ , ନିଜର ପାଚିଲା ବାଳ ଅରାକ ସଜାଡି କହିଲେ,
-କିଛି ବର୍ଷ ତଳେ ସିରିଆ ଦେଶରୁ ଶରଣାର୍ଥୀ ଭାବେ ଯାଉଥିବା ଦୁଇବର୍ଷର ବାଳକ ଆଲାନ କୁର୍ଦ୍ଦି ସମୁଦ୍ରରେ ବୁଡି ପ୍ରାଣ ହରାଇ କୂଳରେ ଲାଗିଥିବାର ଫଟ ସାରା ଦୁନିଆରେ ଭାଇରାଲ ହୋଇଥିଲା। ଛୋଟପିଲା ହେଉକି ବଡ଼ ମଣିଷ, ଶରଣାର୍ଥୀ ହେବାଠୁ ମରିଯିବା ଭଲ। ଆଉ ଗୋଟେ କଥା ଆମେ ଭୁଲି ଯାଉଛେ, ଯେଉଁ ଦେଶରେ ଶରଣାର୍ଥୀମାନେ ଭିଡ଼ କରନ୍ତି, ସେ ଦେଶ ବି ବହୁତ ଅସୁବିଧାର ସମ୍ମୁଖୀନ ହୁଏ।”
ବିନୋଦ ବାବୁ ହଠାତ କହିପକାଇଲେ,
-ଅଯଥାରେ ଯୁଦ୍ଧ ଆରମ୍ଭ କରି, ନିରୀହ ଲୋକଙ୍କୁ ଶରଣାର୍ଥୀ ବନାଉଥିବା କିଛି ଜିଦିଖୋର ନେତାଙ୍କୁ ହିଁ ଶରଣାର୍ଥୀ କରି ଅନ୍ୟଦେଶକୁ ପଠାଇଲେ ସେମାନେ ଲୋକଙ୍କ ଦୁଃଖ ବୁଝନ୍ତେ। ତେବେ ଆମର ଏଠି ସେ ଶରଣାର୍ଥୀ, ଫରଣାର୍ଥୀ ଅସୁବିଧା ନାହିଁ।”
ଫେଁ କିନା ହସି ସୁଦର୍ଶନ ବାବୁ ଖବରକାଗଜ ଥୋଇ କହିଲେ,
-ହଇଓ , ନାହିଁ କଣ ? ତିବ୍ବତୀୟ ଶରଣାର୍ଥୀ ଓ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବି ଆମ ରାଜ୍ୟରେ ଅଛନ୍ତି। ତେବେ ହଁ, ଭାଗ୍ୟ ଭଲ ଆମ ଜୀବନରେ ଆମେ ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇ ଶରଣାର୍ଥୀ ହୋଇନୁ ?”
ଏସବୁ ଆଲୋଚନା ଶୁଣି ବସନ୍ତ ବାବୁ ଚୁପଚାପ ନିଜ ୱାକିଙ୍ଗ ଷ୍ଟିକ ଧରି ଚାଲିଯିବାକୁ ବାହାରିବା ଦେଖି, ସୁଦର୍ଶନ ବାବୁ କହିଲେ,
-କଣ ଆଜି ନିଜର କିଛି ଏକ୍ସପର୍ଟ ଓପିନିଅନ/ ସ୍ପେଶାଲ ଟିପ୍ପଣୀ ନଦେଇ ଚାଲିଯିବ ?”
ଧୀର ସ୍ୱରରେ ବସନ୍ତ ବାବୁ କହିଲେ,
-ବିନା ଯୁଦ୍ଧରେ, ଅନ୍ୟ ଦେଶକୁ ନଯାଇ ବି ମଣିଷ ଶରଣାର୍ଥୀ ହୁଏ।”
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଅନାଇଲେ ବସନ୍ତ ବାବୁଙ୍କ ଆଡ଼କୁ। ସୁଦର୍ଶନ ବାବୁ କହିଲେ,
-ଟିକେ ବୁଝେଇକି କୁହ ବନ୍ଧୁ।ଏଇଠି ବସିକି କୁହ।”
ସେମିତି ଠିଆ ହୋଇ ବସନ୍ତ ବାବୁ ଶାନ୍ତ ଅଥଚ ଗମ୍ଭୀର ସ୍ୱରରେ କହିଲେ,
-ଥରେ ଭାବିଦେଖ, ଏଠି ଆମେ ଯୁଦ୍ଧ ଯୋଗୁଁ ,ବିଭିନ୍ନ ଦେଶରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କ କଥା କହୁଛୁ, ଅଥଚ ଆମେ ଭୁଲି ଯାଉଛୁ, ଆମ ନିଜ କଥା।
ଆମଭଳି ବୟସ୍କ, ଅକର୍ମଣ୍ୟ, ରୋଗୀଣା ତଥା କିଛି ଜାଗାରେ ଆର୍ଥିକ ସ୍ଵଛଳତା ନଥିବା ବାପା , ମା, ଶାଶୁ ଶଶୁରମାନେ ନିଜ ପୁଅବୋହୁ, ଝିଅଜ୍ବାଇଁ ପାଇଁ ଅଦରକାରୀ, ଅଲୋଡା ବୋଝ ଭଳି। ଯେମିତି ଆମେ ନିଜ ଘର ବଦଳରେ ଅନ୍ୟ କାହାର ଦୟା, ଅନୁଗ୍ରହ, କରୁଣା ଅପେକ୍ଷାରେ ପଡିଛୁ।
ବିଦେଶୀ, ପର ମଣିଷ ବା ଅଚିହ୍ନା ମଣିଷର ଦୟା ଉପରେ ନିର୍ଭର କରି ଅଭିଶପ୍ତ ଜୀବନ ବିତାଇବାଠୁ, ନିଜ ଆପଣାର ମଣିଷଙ୍କ ଅବହେଳା, ଆଡେଇଯିବା ଭଳି ବ୍ୟବହାର ଅଧିକ ଦୁଃଖ ଓ ପୀଡାଦାୟକ।ଯେଉଁ ପିଲାଙ୍କୁ ଆମେ ଆଦର ଯତ୍ନ କରି ବଢ଼ାଇଥାଉ ସେମାନଙ୍କ ଠାରୁ ଏଭଳି ବ୍ୟବହାର ପାଇଲା ପରେ ଲୋକଲଜ୍ୟା ଭୟରେ ଆମେ କାହାକୁ ଏ ବିଷୟରେ ନକହି, ଚୁପଚାପ ହତାଶାର ହଳାହଳ ସବୁଦିନ ପିଉ। ନିଜ ଘରେ ମଣିଷ ଶରଣାର୍ଥୀ ହୋଇଯାଏ, ମୋ ଭଳି।”
ଚାରିଆଡେ ନୀରବତା।ଅନ୍ୟମାନେ ପରସ୍ପର ମୁହଁକୁ ଅନାଉଥିଲେ ଓ କେହିକେହି ନିଜ ଆଖିକୁ ପୋଛୁଥିଲେ।
ଟିକେ ରହି ବସନ୍ତ ବାବୁ କହିଲେ,
-ଯେଉଁମାନେ ନିଜଘରେ ଶରଣାର୍ଥୀ ଭଳି ଲଜ୍ୟାଜର, ଅପମାନଜନକ ଅନୁଭବ ପାଇଛନ୍ତି, ସେମାନେ ମୋ ସହ ଆସନ୍ତୁ। ଅନ୍ୟ ଭାଗ୍ୟବାନ/ଭାଗ୍ୟବତୀ ବନ୍ଧୁମାନେ ଏଇଠି ଆଉ କିଛି ସମୟ ବସନ୍ତୁ।”
ବସନ୍ତ ବାବୁ ଗେଟ ଆଡ଼କୁ ଆଗୋଉଥିଲେ। ତାଙ୍କ ପଛେ ପଛେ ଧୀରେ ଧୀରେ ସମସ୍ତେ ଚାଲିବାକୁ ଆରମ୍ଭ କରିଥିଲେ।ଲାଗୁଥିଲା ଯେମିତି ଏକ ବୟସ୍କ ଶରଣାର୍ଥୀ ଦଳ ଦିଶାହୀନ ପଥରେ ଆଗୋଉଛନ୍ତି।