
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ତୈଳ ସଂକଟ ଗଭୀର ହେବା ସହ ନେପାଳ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ସପ୍ତାହକୁ ଦୁଇ ଦିନ ସରକାରୀ ଛୁଟି ଘୋଷଣା କରାଯାଇଛି।
ନୂଆ ନିୟମ ଅନୁସାରେ, ପ୍ରତ୍ୟେକ ଶନିବାର ଓ ରବିବାର ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବ। ପୂର୍ବରୁ କେବଳ ଶନିବାରକୁ ସରକାରୀ ଛୁଟି ଥିଲା, କିନ୍ତୁ ବର୍ତ୍ତମାନ ତୈଳ ସଂକଟକୁ ଦୃଷ୍ଟିରେ ରଖି ରବିବାରକୁ ମଧ୍ୟ ଛୁଟି ଦିଆଯାଇଛି।
ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଗଣମାଧ୍ୟମକୁ କହିଛନ୍ତି ଯେ, ଦେଶରେ ଇନ୍ଧନ ଅଭାବକୁ ସମ୍ଭାଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଇନ୍ଧନ ବ୍ୟବହାର କମାଇବା ଓ ଆମଦାନୀ ଚାପ କମ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ଏହା ସହିତ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟରେ ମଧ୍ୟ ପରିବର୍ତ୍ତନ ଆଣାଯାଇଛି। ଏବେ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଫିସ ଚାଲିବ। ପୂର୍ବରୁ ଏହି ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥିଲା। ନୂଆ ସମୟସାରିଣୀ ଆସନ୍ତା ସୋମବାରଠାରୁ ଲାଗୁ ହେବ ବୋଲି ସରକାରୀ ମୁଖପାତ୍ର ସସ୍ମିତା ପୋଖରେଲ ସୂଚନା ଦେଇଛନ୍ତି।
ଅନ୍ୟପଟେ, ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଥିବାରୁ ନେପାଳ ଏୟାରଲାଇନ୍ସ ପକ୍ଷରୁ ବିମାନ ଭଡା ମଧ୍ୟ ବଢ଼ାଯାଇଛି। ଏହା ଫଳରେ ସାଧାରଣ ଲୋକଙ୍କ ଯାତ୍ରା ଖର୍ଚ୍ଚ ଆହୁରି ବଢ଼ିବା ସମ୍ଭାବନା ରହିଛି। ସରକାରଙ୍କ ଏହି ପଦକ୍ଷେପ ଦେଶର ତୈଳ ସଂକଟକୁ କିଛି ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିବ ବୋଲି ଆଶା କରାଯାଉଛି।



