କେବେ ଠାରୁ ସ୍ଵାଭାବିକ ହେବ କୋରାପୁଟ-ଜଗଦଲପୁର ରେଳ ଚଳାଚଳ

ଛତିଶଗଡ଼ର ଜଗଦଲପୁର ଠାରୁ ଆସୁଥିବା ବିଭିନ୍ନ ଟ୍ରେନ ଗୁଡିକ ତିନିରୁ ଚାରଟି ରାଜ୍ୟ ଦେଇ ଯିବା ଆସିବା କରୁଛନ୍ତି। ରାଜ୍ୟର ହଜାର ହଜାର ଲୋକେ ୪ଟି ଟ୍ରେନ ଉପରେ ନିର୍ଭର। ତେବେ ଗତ ମାସକ ତଳେ ମାନବାର-ଜରଟି ଷ୍ଟେସନ ପୂର୍ବରୁ ମାଟି ରେଳଟ୍ରାକ ଉପରେ ଖସିଥିଲା। ତା ପର ଠାରୁ ଜଗଦଲପୁର ଠାରୁ ୩ଟି ଟ୍ରେନ ଚଳାଚଳ କରୁଛି। ବଳକା ୨ଟି ଅନ୍ତଃରାଜ୍ୟ ଏକ୍ସପ୍ରେସ ସମଲେଶ୍ବରୀ ଓ କିରଣ୍ଡଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସକୁ ମଧ୍ୟ ମାସେ ହେବ ବନ୍ଦ କରାଯାଇଛି। ଗତ କୋଭିଡ ସମୟରେ ରାୟଗଡାରୁ ଦୁର୍ଗ ଯାଉଥିବା ଟ୍ରେନକୁ ବି ବନ୍ଦ କରାଯାଇଥିଲା। କୋଭିଡ ପରେ ଆଉ ଆରମ୍ଭ କରିନଥିବା ପୂର୍ବତଟ ରେଳବାଇ। ସେଭଳି ଏହି ଦୁଇ ଟ୍ରେନକୁ ବନ୍ଦ କରିବା ଯୋଜନା କରିଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।ସୂଚନା ଅନୁଯାୟୀ, ଜଗଦଲପୁରକୁ ସଂଯୋଗ କରି ଚାଳୁଥିବା ସମଲେଶ୍ବରୀ ଏକ୍ସପ୍ରେସ ଛତିଶଗଡରୁ ବାହାରି ଓଡିଶାର ଜୟପୁର-କୋରାପୁଟ-ରାୟଗଡା-ସମ୍ବଲପୁର- ଆଦି ଦେଇ ପଶ୍ଚିମବଙ୍ଗର ହାୱାଡାକୁ ଯାଉଥିଲା। ଏହି ଟ୍ରେନରେ ଶହ ଶହ ବ୍ୟବସାୟୀ ଏବଂ ଲୋକେ ଯିବା ଆସିବା କରୁଥିଲେ। ଏପରିକି ସାଧାରଣ ଲେକଙ୍କ ଜୀବନବଂଚିବାର ରାହା ବି ପାଲଟିଥିଲା ଏହି ଟ୍ରେନ। ସ୍ବଳ୍ପ ଟଙ୍କା ଓ ଅଳ୍ପ ସମୟ ମଧ୍ୟରେ ଲୋକେ କଲିକତା ପରି ମହାନଗରକୁ ଯିବା ଆସିବା କରି ପାରୁଥିଲେ। ଚିକିତ୍ସା ପାଇଁ ରୋଗୀଙ୍କ ଠାରୁ ଆରମ୍ଭ କରି ପାଠପଢ଼ା ପାଇଁ ଯାଉଥିବା ଛାତ୍ରଛାତ୍ରୀ, ପର୍ଯ୍ୟଟକ, ଏବଂ କଲିକତା ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ଜିଲ୍ଲାର ଲୋକେ ଏହି ଟ୍ରେନରେ ଯିବା ଆସିବା କରୁଥିଲେ। ଅଚାନକ ଭାବେ ଏହା ବନ୍ଦ ହେବା ଫରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଭଳି କିରଣ୍ଡଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସକୁ ବନ୍ଦ କରିଛି ରେଳବାଇ କର୍ତ୍ତୃପକ୍ଷ। ଏହି ଦୁଇଟି ଯାକ ଟ୍ରେନ ସାଧାରଣ ଲୋକଙ୍କ ଯାତ୍ରା ପାଇଁ ପ୍ରମୁଖ ମାଧ୍ୟମ ସାଜିଥିଲା। ଅପରପକ୍ଷରେ ଏହି ଦୁଇ ଟ୍ରେନକୁ ବନ୍ଦ କରି ପୂର୍ବତଟ ରେଳବାଇ ଗୁଡସ୍ ଟ୍ରେନ ଚଳାଚଳକୁ ବୃଦ୍ଧି କରିଥିବା ସୂଚନା ମିଳିଛି। ରେଳବାଇ କର୍ତ୍ତୃପକ୍ଷ କାହିଁକି ବ୍ଲକ ସ୍ପଟ ଚିହ୍ନଟ କରି ସେଠାରେ ଏସବୁ ହଟାଇବା ଯନ୍ତ୍ରପାତି ଓ କଂଚାମାଲ ଆଦି ଜମା କରି ରଖୁନି ବୋଲି ପ୍ରଶ୍ନ ଉଠିଛି।