ବଲାଙ୍ଗୀରରେ ୧,୧୨୪ କୋଟିର ସୂତା ଉତ୍ପାଦନ ୟୁନିଟ୍: ପଶ୍ଚିମ ଓଡ଼ିଶାର ଶିଳ୍ପକୁ ନୂଆ ଗତି

ଭୁବନେଶ୍ୱର, ୨୩।୪ ପଶ୍ଚିମ ଓଡ଼ିଶାର ଶିଳ୍ପ ଉନ୍ନତିକୁ ନୂତନ ଗତି ଦେବା ପାଇଁ ରାଜ୍ୟ ସରକାର ବୁଧବାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ବଲାଙ୍ଗୀର ଜିଲ୍ଲାରେ ଏକ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ମଞ୍ଜୁରୀ ଦିଆଯାଇଛି। ଏହି ବୃହତ୍ ପ୍ରକଳ୍ପକୁ ଓଡ଼ିଶାଭିତ୍ତିକ ଶିଳ୍ପ ସଂସ୍ଥା ‘ଶ୍ରୀଅମ୍ବିକା କଟ୍ସ୍ପିନ୍ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ କାର୍ଯ୍ୟକାରୀ କରାଯିବ।
କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଏହି ପ୍ରକଳ୍ପ କେବଳ ବଲାଙ୍ଗୀର ନୁହେଁ, ସମଗ୍ର କେବିକେ ଅଞ୍ଚଳ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଉଚ୍ଚମୂଲ୍ୟ ଭିତ୍ତିକ ଶିଳ୍ପ କାର୍ଯ୍ୟକଳାପକୁ ଆଗକୁ ନେବାରେ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ। ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଶିଳ୍ପ ଭିତ୍ତିଭୂମିର ଅଭାବ ଥିବାରୁ ଆର୍ଥିକ ଉନ୍ନତିରେ ବାଧା ଦେଖାଯାଉଥିଲା। ଏହି ନୂତନ ୟୁନିଟ୍ ସେହି ଖାଲିକୁ ପୂରଣ କରିବାକୁ ସକ୍ଷମ ହେବ।
ସେ କହିଛନ୍ତି ଯେ, ଓଡ଼ିଶାରେ କପା ଚାଷରେ ନିରନ୍ତର ବୃଦ୍ଧି ଘଟୁଥିବା ସତ୍ତ୍ୱେ ଏଠାରେ ଡାଉନ୍ଷ୍ଟ୍ରିମ୍ ପ୍ରକ୍ରିୟାକରଣ ଓ ମୂଲ୍ୟ ବୃଦ୍ଧି ପାଇଁ ପ୍ରୟୋଜନୀୟ ଶିଳ୍ପ ଭିତ୍ତିଭୂମି ନଥିଲା। ଫଳରେ କପା ଉତ୍ପାଦନ ହେଉଥିଲେ ମଧ୍ୟ ତାହାର ସଠିକ୍ ମୂଲ୍ୟ ସ୍ଥାନୀୟ ଅର୍ଥନୀତିରେ ଯୋଗ ହେଉନଥିଲା। ଏହି ପ୍ରକଳ୍ପ ଆସିଲେ କପା ଜିନିଂରୁ ଆରମ୍ଭ କରି ଉନ୍ନତ ସୂତା ଉତ୍ପାଦନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ରାଜ୍ୟ ମଧ୍ୟରେ ହେବ, ଯାହା ଦ୍ୱାରା ସ୍ଥାନୀୟ ମୂଲ୍ୟ ସଂଯୋଜନ ହେବ।

ଏହି ବୃହତ୍ ପ୍ରକଳ୍ପରେ ମୋଟ ୧,୧୨୪ କୋଟି ଟଙ୍କାର ନିବେଶ ହେବାକୁ ଥିବା ବେଳେ, ପ୍ରାୟ ୩୦୦ ଜଣଙ୍କୁ ସିଧାସଳଖ ନିଯୁକ୍ତି ମିଳିବ। ଏହାସହିତ ପରୋକ୍ଷ ଭାବରେ ହଜାର ହଜାର ଲୋକଙ୍କ ପାଇଁ ଜୀବିକାର ନୂଆ ଅବସର ସୃଷ୍ଟି ହେବ। ସ୍ଥାନୀୟ ଯୁବକ-ଯୁବତୀମାନେ ଶିଳ୍ପ କ୍ଷେତ୍ରରେ କାମ ପାଇବା ସହ ସେମାନଙ୍କ ଜୀବନମାନ ଉନ୍ନତ ହେବ।
ଏହି ୟୁନିଟ୍ ମାଧ୍ୟମରେ ବଲାଙ୍ଗୀର ଏବଂ ଆସପାସର ଅଞ୍ଚଳରେ ବସ୍ତ୍ର ଓ ବୟନ ଶିଳ୍ପ ପାଇଁ ଆବଶ୍ୟକ ଇକୋସିଷ୍ଟମ ଗଢ଼ିଉଠିବ। ଏହା ଦ୍ୱାରା ଭବିଷ୍ୟତରେ ଏହି ଅଞ୍ଚଳକୁ ଟେକ୍ସଟାଇଲ୍ ହବ୍ ଭାବେ ଗଢ଼ି ତୋଳିବାର ସୁଯୋଗ ମିଳିବ। ଶିଳ୍ପ ସହ ଅନ୍ୟ ସହାୟକ କ୍ଷେତ୍ର, ଯଥା ପରିବହନ, ଲଜିଷ୍ଟିକ୍ସ, ଛୋଟ ଓ ମଧ୍ୟମ ଉଦ୍ୟମ ମଧ୍ୟ ଏହାରୁ ଲାଭାନ୍ବିତ ହେବ।
ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ସମଗ୍ର ଅର୍ଥନୈତିକ ଚିତ୍ରକୁ ପରିବର୍ତ୍ତନ କରିବା ଲକ୍ଷ୍ୟରେ ଏପରି ବୃହତ୍ ନିବେଶକୁ ଆକର୍ଷିତ କରୁଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ଏହା କେବଳ ଏକ ଶିଳ୍ପ ଉଦ୍ୟମ ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ଉନ୍ନତିର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି।



