ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୧୬ରୁ ଅଧିକ ଆହତ

ବାଗପତ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ସୋମବାର ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଡିଭାଇଡରରେ ଧକ୍କା ଖାଇ ଓଲଟି ପଡ଼ିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ବାଗପତ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ଖେକ୍ରା କୋତୱାଲି ଅଞ୍ଚଳର ବାସୀ ଓ ବାଡା ଗାଁ ମଧ୍ୟରେ ରାତି ପ୍ରାୟ ୧ଟାରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍ରେ ମୋଟ ୩୨ ଜଣ ତୀର୍ଥଯାତ୍ରୀ ଥିଲେ। ସେମାନେ ରାଜସ୍ଥାନର ବାଗାଡ ଧାମ ଦର୍ଶନ କରି ଫେରୁଥିଲେ।
ଦୁର୍ଘଟଣା ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ବାଗପତ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ପ୍ରଥମେ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ଜଣେ ଡାକ୍ତରଙ୍କ ସୂଚନା ଅନୁସାରେ, ୨୨ ଜଣ ଆହତଙ୍କୁ ହସ୍ପିଟାଲ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଗୁରୁତର ଅବସ୍ଥାରେ ମେରଠର ଏକ ମେଡିକାଲ ସେଣ୍ଟରକୁ ରେଫର କରାଯାଇଥିଲା। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କ ମୃତ୍ୟୁ ହେବାରୁ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଛି।
ଦୁର୍ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ନେଇ ପୁଲିସ ତଦନ୍ତ ଜାରି ରଖିଛି। ଆହତମାନଙ୍କୁ ଆବଶ୍ୟକ ସମସ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



