
ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ମିତ ସେପ୍ଟିକ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି।
ମୃତକମାନେ କେଶାଇବାହାଲର ଶୁସିଲ ନାଏକ ଓ ଭିକାରୀ ଚରଣ ବେହେରା ବୋଲି ଜଣାପଡ଼ିଛି। ଗୁରୁତର ଆହତ ଦୁଇଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ସେଣ୍ଟ୍ରିଂ ଖୋଲିବା ପାଇଁ ପ୍ରଥମେ ଦୁଇଜଣ ଶ୍ରମିକ ସେପ୍ଟିକ ଟାଙ୍କିରେ ପଶିଥିଲେ। ସେମାନେ ବାହାରୁ ଡାକକୁ ସ୍ପନ୍ଦନ ନଦେବାରୁ ମାଲିକ ଓ ଅନ୍ୟ ଜଣେ ଶ୍ରମିକ ତାଙ୍କୁ ବଚାଇବାକୁ ଭିତରକୁ ପଶିଥିଲେ, କିନ୍ତୁ ସେମାନେ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା ଓ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଏପରି ଘଟଣା ପୂର୍ବରୁ ମଧ୍ୟ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଅଞ୍ଚଳରେ ଘଟିଥିଲା, ଯେଉଁଠାରେ ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।



