
ରାଉରକେଲା ରେଲୱେ ଷ୍ଟେସନ୍ ରୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ଧରାପଡିଛି। ପୋଲିସ ପ୍ରାୟ ୨୬ କେଜି ଗଞ୍ଜେଇ ଜବତ କରିଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ବୋକାରୋ ଅଞ୍ଚଳର ଶୁଭମ କୁମାର ଦୁବେ ଓ କନିଷ ମିଶ୍ର ଏବଂ ବିହାର ସହରସା ଅଞ୍ଚଳର ଭରତ କୁମାର।
ଏହି ଚଢ଼ାଉ ଆରପିଏଫ୍, ସିଆଇବି ଟିମ୍ ଓ ରାଉରକେଲା ଅବକାରୀ ମୋବାଇଲ୍ ୟୁନିଟ୍ର ମିଳିତ ଅଭିଯାନରେ କରାଯାଇଥିଲା। ଅପରେସନ୍ରେ ଆରପିଏଫ୍ ଇନ୍ସପେକ୍ଟର ଟି. ଶିକାରୀ, ଏଏସ୍ଆଇ ପିପି ଯାଦବ ଓ ଅବକାରୀ ଇନ୍ସପେକ୍ଟର ଦିଲୀପ ନାୟକ ସାମିଲ ଥିଲେ।
ମିଳିଥିବା ସୂଚନା ଅନୁସାରେ, ଏହି ୩ ଅଭିଯୁକ୍ତ ଏପ୍ରିଲ ୯ରେ ବୋକାରୋରୁ ସମ୍ବଲପୁର ଯାଇଥିଲେ। ସେଠାରେ ‘ପ୍ରୀତି’ ନାମକ ଜଣେ ମହିଳାଙ୍କୁ ଭେଟି ୬ଟି ପ୍ୟାକେଟ୍ରେ ଗଞ୍ଜେଇ ନେଇଥିଲେ। ପରେ କୁର୍ଲା-ହାୱଡ଼ା ଏକ୍ସପ୍ରେସ୍ରେ ସମ୍ବଲପୁର ଯୋଗେ ସମ୍ବଲପୁରରୁ ରାଉରକେଲା ପହଞ୍ଚିଥିଲେ।
ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟାରୁ ଚାଲିଥିବା ସର୍ଚ୍ଚ ଅପରେସନ୍ ସମୟରେ ଷ୍ଟେସନ୍ ନିକଟ ହନୁମାନ ମନ୍ଦିର ପାଖରେ ସନ୍ଦିଗ୍ଧ ଅବସ୍ଥାରେ ୩ ଜଣ ୨ଟି ଟ୍ରଲି ବ୍ୟାଗ୍ ସହିତ ଠିଆ ଥିବାକୁ ଦେଖି ପୋଲିସ ସେମାନଙ୍କୁ କାବୁ କରି ତନାଘନା କରିଥିଲା। ତଦନ୍ତ ଜାରି ରହିଛି।


