ଅପରାଧମୁଖ୍ୟ ଖବର

ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ

ଝାରସୁଗୁଡା: ଜିଲ୍ଲାର ବିମାନ ବନ୍ଦର ଥାନା ଅନ୍ତର୍ଗତ ଓରାମପଡା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଅତ୍ୟନ୍ତ ମର୍ମାନ୍ତିକ ଘଟଣା ଘଟିଛି। ପରିବାରିକ କଳହର ପରିଣାମରେ ଜଣେ ମା’ ନିଜର ଦୁଇ ନିଷ୍ପାପ ଶିଶୁଙ୍କୁ ଜୀବନ ନେଇଦେଇଥିବା ଅଭିଯୋଗ ଉଠିଛି।

ଘଟଣା ଅନୁସାରେ, ଅଭିଯୁକ୍ତା ରଞ୍ଜିତା ଓରାମ ତାଙ୍କ ସ୍ୱାମୀ ସୀତାରାମ ଓରାମ ଓ ଦୁଇ ଶିଶୁ ସହିତ ଓରାମପଡାରେ ବସୋବାସ କରୁଥିଲେ। ଦୀର୍ଘଦିନ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ, ସ୍ୱାମୀଙ୍କ ଉପରେ ଅନ୍ୟ ସମ୍ପର୍କ ନେଇ ସନ୍ଦେହ କରୁଥିଲେ ରଞ୍ଜିତା।

ଶନିବାର ରାତିରେ ପ୍ରାୟ ୧୧.୩୦ ସମୟରେ ରଞ୍ଜିତା ତାଙ୍କ ସ୍ୱାମୀଙ୍କୁ ଘରୁ ବାହାରକୁ ପଠାଇ ଦେଇ, ପଛରୁ କବାଟ ବନ୍ଦ କରିଦେଇଥିଲେ। ଏହାପରେ ଘରଭିତରେ ଥିବା ଦୁଇ ଶିଶୁ ୧୦ ବର୍ଷର ଝିଅ ଜିଜ୍ଞାସା ଓ ୫ ବର୍ଷର ପୁଅ ବିହାଂଶୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଘଟଣା ପରେ ନିଜେ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଏପଟେ, ସ୍ୱାମୀ ସୀତାରାମ ଦରଜା ଖୋଲିବାକୁ ଅନେକଥର ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହୋଇନଥିଲେ। ପରେ ପରିବାର ସଦସ୍ୟଙ୍କ ସହଯୋଗରେ ଘରର ପଛପଟ ଝରକା ଭାଙ୍ଗି ଭିତରକୁ ପ୍ରବେଶ କରାଯାଇଥିଲା। ସେତେବେଳେ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ଥିଲା।

ତୁରନ୍ତ ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିବାବେଳେ, ଅଭିଯୁକ୍ତା ରଞ୍ଜିତାଙ୍କୁ ଚିକିତ୍ସା ଦିଆଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ଓଡିଶା ପୋଲିସ ଓ ବୈଜ୍ଞାନିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଘଟଣା ପଛର ସଠିକ୍ କାରଣ ଖୋଜାଯାଉଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ପରିବାରିକ କଳହ ଓ ସନ୍ଦେହ ଏହି ଦୁଃଖଦ ଘଟଣାର ପ୍ରଧାନ କାରଣ ହୋଇପାରେ।

Show More

Related Articles

Back to top button