ବିରୋଧ ପରେ ନରମିଲେ ରାଜ୍ୟ ସରକାର, ମୂର୍ତ୍ତି ଉଚ୍ଚତା ନେଇ ଦୁଇ ଦିନ ମଧ୍ୟରେ ହେବ ନିଷ୍ପତି
ପାର୍ବଣ କଟକଣାକୁ ତୀବ୍ର ବିରୋଧ ପରେ ଶେଷରେ ସାମାନ୍ୟ ନରମିଛନ୍ତି ରାଜ୍ୟ ସରକାର। ପାର୍ବଣ ସମୟରେ ମା' ଦୁର୍ଗାଙ୍କ ୪ ଫୁଟ୍ ଉଚ୍ଚତାର ମୂର୍ତ୍ତି ସହ ଆବଦ୍ଧ ପୂଜା ପାଇଁ ଜାରି ହୋଇଥିବା ଗାଇଡଲାଇନ୍କୁ ନେଇ ସାମାନ୍ୟ କୋହଳ ମନୋଭାବ ମଧ୍ୟ ପୋଷଣ କରିଛନ୍ତି । ଆସନ୍ତା ୨ ଦିନ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ଲୋକସେବା ଭବନରେ ଆୟୋଜିତ ବୈଠକରେ କୁହାଯାଇଛି।

ପାର୍ବଣ କଟକଣାକୁ ତୀବ୍ର ବିରୋଧ ପରେ ଶେଷରେ ସାମାନ୍ୟ ନରମିଛନ୍ତି ରାଜ୍ୟ ସରକାର। ପାର୍ବଣ ସମୟରେ ମା’ ଦୁର୍ଗାଙ୍କ ୪ ଫୁଟ୍ ଉଚ୍ଚତାର ମୂର୍ତ୍ତି ସହ ଆବଦ୍ଧ ପୂଜା ପାଇଁ ଜାରି ହୋଇଥିବା ଗାଇଡଲାଇନ୍କୁ ନେଇ ସାମାନ୍ୟ କୋହଳ ମନୋଭାବ ମଧ୍ୟ ପୋଷଣ କରିଛନ୍ତି । ଆସନ୍ତା ୨ ଦିନ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ଲୋକସେବା ଭବନରେ ଆୟୋଜିତ ବୈଠକରେ କୁହାଯାଇଛି। ଏହାବାଦ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଆବଦ୍ଧ ଭାବେ ପୂଜା କରାଯିବ ନା ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇବେ ସେତେବେଳର କରୋନା ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।
ଦୁର୍ଗା ପୂଜାରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଉଚ୍ଚତାରେ ରହିବା ସହ ଆବଦ୍ଧ ପୂଜା ପାଇଁ ସରକାରଙ୍କ ଦ୍ୱାରା ଲାଗୁ କଟକଣାକୁ କଟକର ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସରକାର ନିୟମ କୋହଳ ନ କଲେ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ନିମନ୍ତେ ବିଜେପି ପକ୍ଷରୁ ଡାକରା ଦିଆଯାଇଛି।
ବିବାଦ କ୍ରମଶଃ ଘନୀଭୂତ ହେବାକୁ ଲାଗିବାରୁ ଏହାର ସମାଧାନ ନିମନ୍ତେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ସରକାର। କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମୁଖ୍ୟ ଶାସନ ସଚିବ ଓ SRCଙ୍କ ସହ ମିଟିଂ ପାଇଁ ଆମନ୍ତ୍ରଣ କରାଯାଇଥିଲା।
ଆଜି ସକାଳେ ଲୋକସେବା ଭବନରେ ଉଭୟ ପକ୍ଷ ମଧ୍ୟରେ ଆଲୋନଚା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ, ଉପମୁଖ୍ୟ ଶାସନ ସଚିବ, କିଛି ନିର୍ବାଚିତ ପ୍ରତିନିଧି, ସାମାଜିକ କର୍ମୀ, କଟକ ମହାନଗର ଶାନ୍ତି କମିଟି, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି, ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।
ବୈଠକ ଶେଷ ପରେ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେବେ ସରକାର । ପୂଜା ଆଉ ମାସେ ଅଛି, ସେତେବେଳର ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ।