ରାଜ୍ୟସଭା ଫଳାଫଳ: ମନମୋହନ, ସୁଜିତ, ଦିଲ୍ଲୀପ ଓ ସନ୍ତୃପ୍ତ ବିଜୟୀ; କ୍ରସ୍ ଭୋଟିଂ ନେଇ ତର୍କ

ଓଡ଼ିଶାର ରାଜ୍ୟସଭା ନିର୍ବାଚନର ଭୋଟ୍ ଗଣତି ସରିଛି। ଏଥିରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର, ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ବିଜୟୀ ହୋଇଛନ୍ତି। କ୍ରସ୍ ଭୋଟିଂ ଫଳରେ ନିର୍ବାଚନରେ ନାଟକୀୟ ପରିବର୍ତ୍ତନ ଦେଖାଯାଇଛି ଏବଂ ଦ୍ୱିତୀୟ ପସନ୍ଦ ଭୋଟ୍ ସହାୟତାରେ ଦିଲ୍ଲୀପ ରାୟ ବାଜିମାତ୍ କରିଛନ୍ତି, ଯେଉଁଥିରେ ଡା. ଦତ୍ତେଶ୍ୱର ହୋତା ପରାଜିତ ହୋଇଛନ୍ତି।
ଭୋଟ ଗଣନା ଅନୁଯାୟୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରଥମ ପସନ୍ଦର ୩୫ଟି କରି ଭୋଟ ମିଳିଥିଲା। ସନ୍ତୃପ୍ତ ମିଶ୍ରଙ୍କୁ ୩୧ଟି ଭୋଟ ମିଳିଥିଲା। ଦିଲ୍ଲୀପ ରାୟ ଓ ଦତ୍ତେଶ୍ୱର ହୋତାଙ୍କୁ ପ୍ରଥମ ପସନ୍ଦର ୨୩ଟି କରି ଭୋଟ ମିଳିଥିଲା। ପରେ ଦ୍ୱିତୀୟ ପସନ୍ଦ ଭୋଟର ସହାୟତାରେ ଦିଲ୍ଲୀପ ରାୟଙ୍କ ବିଜୟ ଘୋଷଣା ହୋଇଥିଲା।
ଏହି ନିର୍ବାଚନରେ ବିଜେଡିର କିଛି ବିଧାୟକ କ୍ରସ୍ ଭୋଟିଂ କରିଥିବା ନେଇ ଚର୍ଚ୍ଚା ଜୋରଦାର ହୋଇଛି। ବିଜେଡି ନେତା ପ୍ରତାପ ଦେବ କହିଛନ୍ତି ଯେ ପ୍ରାୟ ୮ ଜଣ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ନେଇ କଠୋର ପ୍ରତିକ୍ରିୟା ଦେଇ ବିଜେପି ଉପରେ ଘୋଡ଼ା ବେପାରର ଅଭିଯୋଗ କରିଛନ୍ତି।
ବିଜୟ ପରେ ଦିଲ୍ଲୀପ ରାୟ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ସମର୍ଥନ କରିଥିବା ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।



