ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସର ବିରୋଧ
ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରୁଛି କଂଗ୍ରେସ । ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜୋରଦାର କରିଛନ୍ତି ବିରୋଧୀ ଦଳ । ଆସନ୍ତା ୮ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ।
ସେ କହିଛନ୍ତି, ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ବିରୋଧ କରି କଳାହାଣ୍ଡି ବାସିନ୍ଦା ଜନତା କର୍ଫ୍ୟୁ ପାଳନ କରନ୍ତୁ । ଏହାସହ ଆସନ୍ତା ୭ ତାରିଖରେ ମମିତାଙ୍କ ଆତ୍ମାର ସଦଗତି ପାଇଁ ଦିନ ୧୧ଟାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବାକୁ କଳାହାଣ୍ଡି ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତି ଗାଁ ଓ ସହରରେ ନିରବ ପ୍ରାର୍ଥନା କରିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଭକ୍ତ କହିଛନ୍ତି, ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇ ଘଟଣାର ସତ୍ୟାସତ ଉନ୍ମୋଚନ କରାଯାଉ ବୋଲି ଓଡ଼ିଶା ବାସୀ ଓ ବିରୋଧୀ ଦଳ ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆଠ ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀଙ୍କୁ ବାହାଦୁରି ଦେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ନ ଆସି ଭୁବନେଶ୍ୱରେ ରହି ଭିଡ଼ିଓ କନଫେରେସିଂ ଜରିଆରେ ବିଭିନ୍ନ କାର୍ୟ୍ୟକ୍ରମର ଉଦଘାଟନ କରନ୍ତୁ ।ମମିତାଙ୍କୁ ନ୍ୟାୟ ମିଳୁ । କଳାହାଣ୍ତି ଜିଲ୍ଲା କଳଙ୍କିତ ନ ହେଉ ବୋଲି ସେ କହିଛନ୍ତି ।