ବଦଳିବ ଶିକ୍ଷା ବ୍ୟବସ୍ଥା, ଅତ୍ୟାଧୁନିକ ଜ୍ଞାନ କୌଶଳରେ ହେବ ପାଠପଢ଼ା
ରାଜ୍ୟରେ ହେଉଛି ସ୍କୁଲ ଟ୍ରାନ୍ସଫର୍ମେସନ । 5T ଅଧିନରେ ସ୍କୁଲ ଟ୍ରାନ୍ସଫର୍ମେସନ ଜରିଆରେ ବଦଳିବାରେ ଲାଗିଛି ହାଇସ୍କୁଲର ଚେହେରା, ପରିବର୍ତ୍ତିତ ହୋଇଚାଲିଛି କ୍ୟାମ୍ପସର ନକ୍ସା । ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ । ସବୁଠୁ ବଡ଼ କଥା ହେଲା ଏହା ଦ୍ୱାରା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା ।
ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ହେବ ପାଠପଢ଼ା । ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ କୌଣସି ଗୁଣରେ କମ୍ ରହିବନି ସରକାରୀ ହାଇସ୍କୁଲ କ୍ୟାମ୍ପସ୍ । ବିଦ୍ୟାଳୟର ପରିବେଶ ଏମିତି ସଜାଡ଼ି ହେବାରେ ଲାଗିଛି ଯେ ଛାତ୍ରଛାତ୍ରୀଙ୍କୁ ଏହା ଶିକ୍ଷା ନିମନ୍ତେ ଆକୃଷ୍ଟ କରୁଛି। ଆଜି ଶିଶୁ ଦିବସ ଅବସରରେ ୪ଟି ଜିଲ୍ଲାର ୧୩୮ ହାଇସ୍କୁଲ ହେବ ରୂପାନ୍ତରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ଆଜି ବୌଦ୍ଧ ଜିଲ୍ଲାର ୧୦ ହାଇସ୍କୁଲ୍, ସୋନପୁରର ୧୧ ହାଇସ୍କୁଲ୍, ଭଦ୍ରକର ୧୭ ହାଇସ୍କୁଲ୍, କେନ୍ଦୁଝର ଜିଲ୍ଲାର ୧୦୦ ହାଇସ୍କୁଲ ହେବ ରୂପାନ୍ତରଣ । ପ୍ରତି ପିଲାଙ୍କ ଭିତରେ ରହିଛି ବିପୁଳ ସମ୍ଭାବନା । ସେ ପ୍ରତିଭା ଓ ସମ୍ଭାବନା ପୂର୍ଣ୍ଣପ୍ରାଣରେ ବିକଶିତ ହେଉ ଏହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ରାଜ୍ୟରେ ସ୍କୁଲ ଟ୍ରାନ୍ସଫରମେସନ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ତାଙ୍କ ସ୍ୱପ୍ନକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।