ଦର ବୃଦ୍ଧି ପ୍ରତିବାଦରେ ପୁଣି ରାସ୍ତାକୁ ଓହ୍ଲାଇବ ବିଜେଡି
ଦରଦାମ ବୃଦ୍ଧି, ବେଲଗାମ ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ପୁଣିଥରେ ରାସ୍ତାକୁ ଓହ୍ଳାଇବ ବିଜେଡି । ଏହାର ପ୍ରତିବାଦରେ ବିଜେଡି ରାଜ୍ୟର ତିନୋଟି ଆରଡିସି କାର୍ଯ୍ୟାଳୟରେ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ । ନଭେମ୍ବର ୨୨ତାରିଖରେ କଟକ ଆରଡିସି କାର୍ଯ୍ୟାଳୟରେ ସାମ୍ନାରେ ବିକ୍ଷୋଭ, ୨୩ତାରିଖରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଓ ୨୪ତାରିଖରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ ।
ଓଡ଼ିଶାର ମାଆ ଭଉଣୀ ଏହାର ପ୍ରତିବାଦ କରିବେ ବୋଲି ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ, ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ଛାତ୍ର ଜନତା ଦଳ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପରେ ଏହି ଆନ୍ଦୋଳନକୁ ୧୦ ଦିନ ପାଇଁ ସ୍ଥଗିତ ରଖିଥିଲା ଦଳ । ଅର୍ଥାତ କେନ୍ଦ୍ର ସରକାରଙ୍କୁ ୧୦ ଦିନର ମହଲତ ଦିଆଯାଇଥିଲା । ବିଜେଡି କହିଛି ଯେ ୨୦୧୬-୧୭ ରେ ୧୪.୨ କିଲୋ ସିଲିଣ୍ଡରର ଦାମ୍ ଥିଲା ଟ. ୫୪୯.୬୯ ଏବେ ଏହା ମାତ୍ରାଧିକ ଦର ବୃଦ୍ଧି ପାଇ ୯୨୬ ଟଙ୍କା ସିଲିଣ୍ଡର ଗୋଟା ପହଁଚିଛି । ତେବେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାକୁ ଦାବି କରିବା ସହିତ ଉଜ୍ଜ୍ୱଳା ଯୋଜନା ବିଫଳତାକୁ ନେଇ ଲୋକମାନଙ୍କ ସମ୍ମୁଖକୁ ନେବ ବୋଲି ବିଜେଡି କହିଛି ।