
ଶୁକ୍ରବାର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ବଙ୍ଗୋପସାଗରରେ ଗୁରୁଚାପ ରହିଛି । ତା’ର ପ୍ରଭାବରେ ସ୍ଥଳଭାଗକୁ ଜଳୀୟବାଷ୍ପ ଆସୁଛି । ସେହିପରି ବାୟୁମଣ୍ଡଳର ଉପରିଭାଗରେ ଯେଉଁ ଟ୍ରଫଲାଇନ୍ ପୂର୍ବଭାରତ ଆଡ଼କୁ ଆସିଛି, ତା’ର ପ୍ରଭାବରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଦୁଇଟିର ସମ୍ମିଶ୍ରଣରେ ଓଡ଼ିଶାରେ ମେଘୁଆ ପାଗ ରହିଛି ବୋଲି ପାଣିପାଗବିତ୍ ଆକଳନ କରିଛନ୍ତି । ଶନିବାରଠୁ ରାଜ୍ୟରେ ପାଗ ବଦଳିବ । ଆକାଶ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଶୁକ୍ରବାର ଟ୍ରଫଲାଇନ୍ ଓଡ଼ିଶା ଆଡ଼କୁ ଆସିଯିବ ।
ଗୁରୁଚାପ ଦୁର୍ବଳ ହେବ । ଫଳରେ ବର୍ଷାର ପରିମାଣ କମିବ । ସକାଳ ବେଳା କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ଶନିବାରଠୁ ପାଗ ସୁଧୁରିବ । ହେଲେ ୮-୧୦ ଦିନ ଯାଏ ପାଗ କଅଁଳିଆ ରହିବ । ଅପରପକ୍ଷେ, ଶୁକ୍ରବାର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଶନିବାରରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ୧୯ ମିଲିମିଟର ବର୍ଷା ହୋଇଥିବାବେଳେ ନୟାଗଡ଼ରେ ୫, ଛତ୍ରପୁରରେ ୪, ଗୋପାଳପୁରରେ ୩ ଓ ଦାରିଙ୍ଗବାଡ଼ିରେ ୨ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।