ସୁସ୍ଥ ହେଲା ପରେ ଗିରଫ ହେବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି ।

ସୁସ୍ଥ ହେବାପରେ ବନ୍ଧାହେବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି । ଆଇଜି ନରସିଂହ ଭୋଳ କହିଛନ୍ତି ଯେ, “ପୋଲିସ ବାରଣ ମାନି ନଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପୋଲିସ ଓ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଥିଲେ । ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି । ଏଥିରେ ପୋଲିସ କର୍ମୀ ଓ ୨ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଧିକାରୀଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଇଛି । ହତ୍ୟା ଉଦ୍ୟମ ଓ ପୋଲିସ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗ ହୋଇଛି । ଗାଡ଼ିକୁ ଅସ୍ତ୍ର ଭାବେ ବ୍ୟବହାର କରିବା ନେଇ ଗୁରୁତର ଦଫା ଲାଗିଛି । ପୂର୍ବରୁ ୭ଟି କେସରେ ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ବାଣପୁରରେ ବର୍ତ୍ତମାନ ସ୍ଥିତି ଶାନ୍ତ ରହିଛି । ଅପୀତିକର ପରିସ୍ଥିତିକୁ ଏଡ଼ାଇବାକୁ ୧୪୪ ଧାରା ଲଗାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।