କଟକ ମେୟର ସୁବାସ ସିଂ ଅଫିସ ଯାଉଥିବା ସମୟରେ ରାସ୍ତାରୁ ଉଠାଇଲେ ମଲା କୁକୁର
ରାସ୍ତା ମଝିରେ ମଲା କୁକୁର ପଡି ଥିବାରୁ ଯାତାୟାତରେ ଅସୁବିଧା ହେଉଥିଲା।
ଅଫିସ ଯାଉଥିବା ସମୟରେ ତଳ ତେଲେଙ୍ଗାବଜାର- ଫିରିଙ୍ଗବଜାର ଛକ ନିକଟରେ ଏକ ମଲା କୁକୁର ପଡିଥିବାର ଦେଖି ନିଜ ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ ସୁବାସ। ରାସ୍ତା ମଝିରେ ମଲା କୁକୁର ପଡି ଥିବାରୁ ଯାତାୟାତରେ ଅସୁବିଧା ହେଉଥିଲା। ଡ୍ରାଇଭର ଗାଡି ରଖିବା ମାତ୍ରେ ଗାଡିରୁ ଓହ୍ଲାଇ, ନିକଟରେ ଥିବା ଏକ ଦୋକାନରୁ ଏକ ବ୍ୟାଗ କିଣି ମଲା କୁକୁର ଟିକୁ ନିଜ ଗାଡ଼ିରେ ନେଇ ଅଫିସକୁ ଯାଇଥିଲେ। ସେଠାରେ ସିଏମସିର କର୍ମଚାରୀ ମାନଙ୍କ ଦ୍ୱାରା ମଲା କୁକୁର ଟିକୁ ପୋତିବାର ବ୍ୟବସ୍ଥା କରିଥିଲେ। ତେବେ ୱାର୍ଡରେ କାର୍ଯ୍ୟରତ ୱାର୍ଡ ଅଧିକାରୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ମେୟର। ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରାସ୍ତା ଉପରେ ମଲା କୁକୁର ପଡି ରହିଥିବା ବେଳେ କାର୍ଯ୍ୟରତ ଅଧିକାରୀ କାହିଁକି ଜାଣି ପାରିଲେନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେମାନେ କାହିଁକି ସେମାନଙ୍କ ଦାୟିତ୍ୱ ସଠିକ ଭାବରେ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେୟର ସୁବାସ ସିଂ। ତେବେ ଏନେଇ ଅଧିକାରୀଙ୍କୁ ତାଗିଦ କରାଯିବ ବୋଲି କହିଛନ୍ତି ସୁବାସ ସିଂ । ସମସ୍ତ ୱାର୍ଡରେ ଯେପରି ଅଧିକାରୀ ମାନେ ସଠିକ ଭାବରେ କାର୍ଯ୍ୟ କରିବେ ସେମାନଙ୍କୁ କିପରି ଅଧିକ କ୍ରିୟାଶୀଳ କରାଯିବ ସେନେଇ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୁବାସ ସିଂ କହିଛନ୍ତି। ସେହିପରି ଏହାର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମେୟର ସୁବାସ ସିଂ।