ଇଲୋଟ୍ରୋନିକ ବାଇକ୍ ବ୍ୟାଟେରୀ ଫାଟି ସ୍ୱାମୀ ମୃତ, ସ୍ତ୍ରୀ ଓ ପିଲା ଗୁରୁତର
ବାଇକର ବ୍ୟାଟେରୀ ଚାର୍ଜ ବସାଇଥିଲାବେଳ ଏହି ଦୁର୍ଘଟଣା ଘଟିଛି ।
ଅମରାବତୀ: ଘରେ ଥିବା ଇଲୋଟ୍ରୋନିକ ବାଇକ୍ ବ୍ୟାଟେରୀ ଫାଟି ସ୍ୱାମୀ ମୃତ, ସ୍ତ୍ରୀ ଓ ପିଲା ଗୁରୁତର । ଶନିବାର ଆନ୍ଧ୍ରପ୍ରଦେଶ ବିଜୟ୍ଓ୍ୱାଡାରେ ଏହି ଘଟଣା ଘଟିଛି । ବାଇକର ବ୍ୟାଟେରୀ ଚାର୍ଜ ବସାଇଥିଲାବେଳ ଏହି ଦୁର୍ଘଟଣା ଘଟିଛି । ଏଥିରେ ୪୦ ବର୍ଷିୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଜଳିଯାଇଛନ୍ତି । ସେ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦୁଇ ପିଲା ଶ୍ୱାସରୁଦ୍ଧ ହୋଇଯାଇଥିଲେ । ସେମାନେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାଁ ହେଉଛି ଶିବ କୁମାର । ଶୁକ୍ରବାର ଦିନ ଶିବ କୁମାର ଏହି ଇଲେକ୍ଟ୍ରିକ୍ ବାଇକ୍ କିଣିଥିଲେ। ସେହିଦିନ ରାତିରେ ଗାଡ଼ିର ବ୍ୟାଟେରୀକୁ ସେ ଶୋଇବା ଘରେ ଚାର୍ଜରେ ବସାଇଥିଲେ। ଭୋର ସମୟରେ ହଠାତ୍ ବ୍ୟାଟେରୀଟି ଫାଟି ଯିବାରୁ ଘର ଭିତରେ ନିଆଁ ଲାଗି ଯାଇଥିଲା। ଶିବ କୁମାରଙ୍କ ଘର ଭିତରୁ ଧୂଆଁ ବାହାରୁଥିବାର ପାଖ ପଡ଼ୋଶୀମାନେ ଦେଖିଥିଲେ। ସେମାନେ କବାଟ ଭାଙ୍ଗି ପରିବାରର ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଶିବ କୁମାରଙ୍କୁ ଡାକ୍ତରଖାନା ନିଆଯାଉଥିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘରେ ନିଆଁ ଲାଗିଯିବା ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।