ଶ୍ରୀମନ୍ଦିର ପ୍ରଶାସକ ଭି.ଭି ଯାଦବ କିପରି ଏକା ଥରକେ ୩ଟି ଗୁରୁ ଦାୟିତ୍ୱ ତୁଲାଉଛନ୍ତି, ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ସରିନଥିବା ବେଳେ, ଦେଖାଦେଇଛି ଆଉ ଏକ ବିବାଦ। ଏହି ପ୍ରସଙ୍ଗକୁ ନେଇ ପ୍ରଥମରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଭୁବନେଶ୍ୱର ସାଂସଦ ଏଥର ଆଉ ଏକ ନୂଆ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଭି.ଭି ଯାଦବ କିପରି ଏକା ଥରେ ତିନିତିନିଟି ଗୁରୁ ଦାୟିତ୍ୱ ତୁଲାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭି.ଭି ଯାଦବଙ୍କୁ କିପରି ଏକାଧାରାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ପୂର୍ତ୍ତ ବିଭାଗ ସଚିବ, ଓବିସିସିର ଚେୟାରମ୍ୟାନ ଦାୟିତ୍ୱ ଦିଆଯାଇଛି, ଏହା ସଂଯୋଗ ନା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଟେଣ୍ଡର ଯିଏ ଆହ୍ୱାନ କରୁଛି, ସିଏ ହିଁ ପାଉଛି। ଅର୍ଥାତ ଭି.ଭି ଯାଦବ ପୂର୍ତ୍ତ ସଚିବ ହିସାବରେ ଶ୍ରୀମନ୍ଦିର ପ୍ରକଳ୍ପ କାମର ଠିକାଦାର ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ମୁଖ୍ୟ ଥିବା ଓବିସିସି ଠିକା ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହିସାବରେ ଏହି କାମକୁ ମଞ୍ଜୁର କରୁଛନ୍ତି। ତେଣୁ ଏହି କାମରେ କେତେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ବୋଲି ଟ୍ୱିଟ କରିଛନ୍ତି ଭୁବନେଶ୍ୱର ସାଂସଦ। ଅପରାଜିତାଙ୍କ କହିବା କଥାକୁ ନେଇ ସରଗରମ ହେଲାଣି ରାଜନୀତି। ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସକ କିଭଳି ଭାବେ ଏକା ସାଙ୍ଗରେ ତିନି ତିନିଟି ଦାୟିତ୍ୱରେ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ଉପରେ ପ୍ରତିକ୍ରିିୟା ଦେଇଛନ୍ତି ବିଜେଡି ମୁଖ୍ୟ ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି, ଭୁବନେଶ୍ୱର ସାଂସଦ ପ୍ରତ୍ୟେକ କଥାରେ ଏମିତି ପ୍ରଶ୍ନ ଉଠାନ୍ତି। ତାଙ୍କ ପ୍ରଶ୍ନର କୌଣସି ମୂଲ୍ୟ ନାହିଁ। ଏଣୁ ଉତ୍ତର ଦେବା ଜରୁରୀ ନୁହେଁ ବୋଲି କହିଛନ୍ତି।