ଆଜି ବରବେଶ ସାଜି ମା ପାର୍ବତୀଙ୍କ ଘର ଅଭିମୁଖେ ବାହାରିବେ ମହାଦେବ
ସମ୍ବଲପୁର: ଆଜି ଉତ୍ସବମୁଖର ସମ୍ବଲପୁର ସହର । ମଧ୍ୟରାତ୍ରରେ ବରବେଶ ସାଜି ବିରାଟ ପଟୁଆରେ ମା ପାର୍ବତୀଙ୍କ ଘର ଅଭିମୁଖେ ବାହାରିବେ ଦେବ ଦେବ ମହାଦେବ । ଏହାପରେ ହେବ ଦେବ ଦମ୍ପତିଙ୍କ ବାହାଘର । ବାବା ଭୋଳାନାଥଙ୍କ ଏହି ଯାତ୍ରା ପାଇଁ ପତରପେଣ୍ଡି ଏବଂ ଗୁଣାଗୁଣ୍ଡା ନୀତି ସଂପନ୍ନ ହୋଇସାରିଛି । ବିବାହ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାର ସାମିଲ ହେବେ ।
ଆସନ୍ତାକାଲି ଦିନତମାମ ବିଭିନ୍ନ ବିବାହ ପୂର୍ବ ନୀତି ସଂପନ୍ନ ହେବ। ଗତବର୍ଷର କନ୍ୟାପିତାମାତା ମାନଙ୍କ ଗଣ୍ଠଳି ଫିଟା ପରେ ଏକବର୍ଷର କନ୍ୟା ପିତାମାତାମାନେ ମାତା ପାର୍ବତୀଙ୍କୁ ପାଛୋଟି ନେବେ । ମାଁ ଘରେ ମାତା ପାର୍ବତୀଙ୍କ ବନ୍ଦାପଣା, ଗନ୍ଧଷଣ, ହରିଦ୍ରାଲେପନ ଆଦି ସମସ୍ତ ନୀତି ପରେ ରାତିରେ ମାଁଙ୍କୁ କନ୍ୟା ବେଶରେ ସଜ୍ଜିତ କରାଯିବ । ବିବାହ ପରେ ହେବ କନ୍ୟା ବିଦାୟ ପର୍ବ । ବିଶ୍ବାସ ରହିଛି ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ବିବାହ ପରେ ବଡ଼ ସିଂହାର ବେଶରେ ଦର୍ଶନ ଦେବେ ବାବା । ଯୁଗଳମୂର୍ତ୍ତିଙ୍କ ନଗର ପରିକ୍ରମା ପରେ ନବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶେଷହେବ ଶୀତଳ ଷଷ୍ଠୀ ଯାତ୍ରା ।