ଚାଷୀଙ୍କ ପାଇଁ ଖୁସି ଖବର, ଧାନ ସହିତ ୧୭ଟି ଫସଲର ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚାଷୀମାନଙ୍କ ଏକ ବଡ ଖୁସି ଖବର । ୧୭ଟି ଫସଲ ଉପରେ ବଢିଛି ସର୍ବନିମ୍ନ ସହାୟକ ମୂଲ୍ୟ । କୃଷକଙ୍କ ଆୟ ବୃଦ୍ଧି ପାଇଁ ୧୭ଟି ଖରିଫ ଫସଲ ଉପରେ MSP ବୃଦ୍ଧିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏଥିସହିତ କୃଷି ବଜେଟର ବୃଦ୍ଧି ପାଇଁ ୧ ଲକ୍ଷ ୨୬ ହଜାର କୋଟିରେ ପହଞ୍ଚି ଯାଇଛି । ବୀମାଠାରୁ ଜଳସେଚନ ଯାଏ ସବୁ ଶସ୍ତା କରାଯାଇଛି । କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ୨୦୨୨-୨୩ ଖରିଫ ଋତୁ ପାଇଁ ସରକାର ୧୭ଟି ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଏମଏସପି ବୃଦ୍ଧି ଦ୍ୱାରା କୃଷକଙ୍କ ଆୟ ଆହୁରି ବୃଦ୍ଧି ପାଇବ । ସାଧାରଣ ଗ୍ରେଡ୍ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୦୦ ଟଙ୍କାକୁ ବୃଦ୍ଧି ପାଇ ୨୦୪୦ ଟଙ୍କାରେ ପହଞ୍ଚିଛି । ସେହିପରି ଏ-ଗ୍ରେଡ ଧାନର ଏମଏସପି ୨୦୬୦ ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାଯୋଗୁଁ ଧାନ ଉତ୍ପାଦନ ବୃଦ୍ଧି ପାଇବା ଆଶା କରାଯାଉଛି । ଆଜିର ବୈଠକରେ ଚାଷୀମାନଙ୍କର ଆୟ ବୃଦ୍ଧି ପାଇଁ ମୋଦି ସରକାରଙ୍କ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା।