ଅପରାଧଆଇନ କାନୁନଓଡ଼ିଶା

କୋର୍ଟ ପରିସରରୁ ନିଶାମାଫିଆ ଚମ୍ପଟ

ଭୁବନେଶ୍ୱର: କୋର୍ଟ ପରିସରରୁ ନିଶାମାଫିଆ ଚମ୍ପଟ । ଗତ ଶନିବାର ଭୁବନେଶ୍ୱର କୋର୍ଟ ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଛି କୁଖ୍ୟାତ ମାଫିଆ ବିଜୟ ମାଣିଆ । ହାତକଡ଼ି ପଡିଥିବା ପରେ ମଧ୍ୟ ଚମ୍ପଟ ମାରିବାରେ ସଫଳ ହୋଇଛି ଅଭିଯୁକ୍ତ । ପୁଲିସ ତାକୁ ବିଭିନ୍ନ ସ୍ଥାନରେ ଖୋଜିବା ଆରମ୍ଭ କରିଦେଇଛି ।

ସୂଚନା ଅନୁଯାୟୀ, ୨୦୨୦ସେପ୍ଟମ୍ବର ୧୧ତାରିଖରେ କଟକ ଜିଲ୍ଲାର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀମାନେ ଅଭିଯୁକ୍ତ ବିଜୟକୁ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରୁ ଗିରଫ କରିଥିଲେ । ଏହି ସମୟରେ ବିଜୟ ଠାରୁ ୧୦୫ କିଲୋ ଗଞ୍ଜେଇ ଏବଂ ୪୨ ହଜାର ଟଙ୍କା ଜବତ କରାଯାଇଥିଲା । ଗିରଫ ହେବା ପରଠାରୁ ବିଜୟର ମାମଲା ଅତିରିକ୍ତ ଜିଲ୍ଲା ଜଜ୍‌-୩(ଏଡିଜେ-୩)ଙ୍କ କୋର୍ଟରେ ବିଚାରଧୀନ ରହିଥିଲା ।

ଗତ ଶନିବାର ଏହି ମାମଲାର ଅନ୍ତିମ ଶୁଣାଣି ଥିଲା । ଏଡିଜେ-୩ ବିଚାରପତି ସସ୍ମିତା ପାଢ଼ୀ ନିଶା କାରବାର ଅଭିଯୋଗରେ ବିଜୟକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଥିଲେ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ମାମଲାର ପରିଚାଳନା କରୁଥିଲେ ।ତେବେ ରାୟ ପ୍ରକାଶ ପରେ ତାଙ୍କୁ ଜେଲରୁ ନେଇ ଆସିଥିବା ଏସକର୍ଟ ଟିମ୍ ତାଙ୍କୁ ପୁଣିଥରେ ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରକୁ ନେବା ଲାଗି କୋର୍ଟ ବାହାରକୁ ନେଉଥିଲା । କୋର୍ଟ ବାହାରକୁ ଚାଲିଚାଲି ଗାଡ଼ି ପାଖକୁ ଯିବା ସମୟରେ ବିଜୟ ଏସକର୍ଟ କର୍ମଚାରୀଙ୍କୁ ଠେଲାପେଲା କରି ଚମ୍ପଟ ମାରିଥିଲା । ପୁଲିସ ଟିମ୍ ତାକୁ ଧରିବାକୁ ଏକ ବାଇକ୍‌ରେ କଳ୍ପନା ଛକ ଯାଏ ଗୋଡ଼ାଇଥିଲା । ହେଲେ ଅଭିଯୁକ୍ତ ବିଜୟ ପୁଲିସ ଆଖିରେ ଧୂଳିଦେଇ ଖସିବାରେ ସକ୍ଷମ ହୋଇଥିଲା ।

Show More

Related Articles

Back to top button