ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲା ଇଡି
ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଫସିଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଶୁକ୍ରବାର ଦୀର୍ଘ ୧୦ ଘଣ୍ଟା କାଳ ଜେରା କରିଛି ଇଡି। ସମନ ଅନୁସାରେ ସଞ୍ଜୟ ରାଉତ ଶୁକ୍ରବାର ଦିନ ୧୧.୩୦ରେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା।ସେଠାରୁ ସେ ରାତି ପ୍ରାୟ ୯.୩୦ରୁ ବାହାରି ଥିଲେ। ଇଡି ଅଫିସରୁ ବାହାରିବା ପରେ ସଞ୍ଜୟ ରାଉତ ତଦନ୍ତରେ ପୂରା ସହଯୋଗ କରିବେ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି, “ଏଜେନ୍ସିର କାମ ହେଲା ତଦନ୍ତ କରିବା। ଆମ କାମ ହେଲା ତଦନ୍ତରେ ସେମାନଙ୍କୁ ସହଯୋଗ କରିବା। ସେମାନେ ଡାକିଥିବାରୁ ମୁଁ ଏଠାକୁ ଆସିଥିଲି। ଆଗକୁ ମଧ୍ୟ ଇଡିର ତଦନ୍ତରେ ମୁଁ ସବୁ ପ୍ରକାରର ସହଯୋଗ କରିବି।” ପାତ୍ର ଚାୱଲ ନାମକ ହାଉସିଂ କମ୍ପ୍ଲେକ୍ସର ନବୀକରଣ ଘଟଣାରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ କରୁଛି ଇଡି । ଏହି ଦୁର୍ନୀତିରେ ସଞ୍ଜୟ ରାଉତ ଓ ତାଙ୍କ ପରିବାର ଲୋକଙ୍କ ହାତ ରହିଥିବା ଇଡି ସନ୍ଦେହ କରୁଛି। ଏହି ଘଟଣାରେ ଇଡି ତଦନ୍ତ କରି ଏପ୍ରିଲ ମାସରେ ସଞ୍ଜୟ ରାଉତଙ୍କ ପରିବାର ଲୋକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏଥିସହ ସଞ୍ଜୟଙ୍କୁ ହାଜର ହେବାକୁ ସମନ କରିଥିଲା। ତେବେ ଇଡିର ଏପରି ଆଭିମୁଖ୍ୟକୁ ସଞ୍ଜୟ ରାଉତଙ୍କ ରାଜନୀତିକ ଚକ୍ରାନ୍ତ ବୋଲି କହିଥିଲେ। ଶୁକ୍ରବାର ଜେରା ବେଳେ ଇଡି ଅଫିସ ଆଗରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜେରାକୁ ବିରୋଧ କରି ଶିବସେନାର ଶତାଧିକ କର୍ମୀ ଏକାଠି ହୋଇଥିବାରୁ ପୁଲିସ୍ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ପାତ୍ର ଚାୱଲ ଜମି ଦୁର୍ନୀତି ମାମଲାରେ ଇଡି ସାଂସଦ ସଞ୍ଜୟ ରାଉତଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ୧୦୩୪ କୋଟି ପାତ୍ର ଚାୱଲ ଜମି ଦୁର୍ନୀତିର ଖୋଳତାଡ଼ କରି ଇଡି ଏପରି ପଦକ୍ଷେପ ନେଇଥିଲା। ଜବତ ସମ୍ପତ୍ତି ମଧ୍ୟରେ ସଞ୍ଜୟ ରାଉତଙ୍କ ଆଲିବାଗ ପ୍ଲଟ, ଦାଦ୍ରା ଓ ମୁମ୍ବାଇରେ ଥିବା ଫ୍ଲାଟ ରହିଛି। ଏହା ସହିତ ଆହୁରି ମଧ୍ୟ ଇଡି ପକ୍ଷରୁ ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।