ପୁଣି ଥରେ ମୁହାଁମୁହିଁ ଟୁଇଟର ଏବଂ ଭାରତ ସରକାର। କେନ୍ଦ୍ର ସରକାରଙ୍କ ବିରୋଧରେ ଆଇନର ମୋର୍ଚ୍ଚା ଖୋଲିଛି ଟୁଇଟର। ସୋସିଆଲ ମିଡିଆ କମ୍ପାନୀ ନିଜ ପ୍ଲାଟଫର୍ମରୁ ଆପତ୍ତିଜନକ କଣ୍ଟେଣ୍ଟ୍ ହଟାଇବା ପାଇଁ ଭାରତ ସରକାରଙ୍କ କିଛି ଆଦେଶକୁ ଅଦାଲତରେ ଚ୍ୟାଲେଞ୍ଜ କରିଛି। ଟୁଇଟର ସରକାରଙ୍କ ଉକ୍ତ ଆଦେଶକୁ ରଦ୍ଦ କରିବାକୁ ଅଦାଲତରେ ଦାବି କରିଛି। ଭାରତ ସରକାର ନିଜ କ୍ଷମତାର ଦୁରୁପଯୋଗ କରୁଥିବା ଟୁଇଟର ଅଭିଯୋଗ କରିଛି। ଗତ ବର୍ଷ କେନ୍ଦ୍ର ସରକାର ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମରୁ କିଛି କଣ୍ଟେଣ୍ଟ ହଟାଇବାକୁ କହିଥିଲା। ଏଥିରେ କିଛି ପୋଷ୍ଟ କରୋନା ସଂକ୍ରମଣ ସହ ଜଡିତ ଥିଲା। ଯେଉଁ ଲୋକଙ୍କ ଆକାଉଣ୍ଟରୁ କଣ୍ଟେଣ୍ଟ ହଟାଇବାକୁ କୁହାଯାଇଛି, ସେଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସର ମୁଖପାତ୍ର ପବନ ଖେଡା ଏବଂ ବିନୋଦ କାପାଡି ସାମିଲ୍।
ସରକାରଙ୍କ ପକ୍ଷରୁ ଗତ ବର୍ଷ ଜାନୁଆରୀ ଏବଂ ଏପ୍ରିଲରେ ନୋଟିସ୍ ଜାରି କରାଯାଇଥିଲା। ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଥିଲେ, ଯଦି ଆପତ୍ତିଜନକ ଟୁଇଟଗୁଡିକୁ ହଟାନଯାଏ ତେବେ ଟୁଇଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସରକାର କହିଥିଲେ, ଆଦେଶର ଉଲ୍ଲଂଘନ ହେଲେ ଟୁଇଟ ଭାରତର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟର ଦ୍ଵାରସ୍ଥ ହୋଇଛି ଟୁଇଟର। କମ୍ପାନୀର କହିବା କଥା କଣ୍ଟେଣ୍ଟକୁ ହଟାଇବା ପାଇଁ ଆଦେଶ ଦେବା ଆଇଟି ଆକ୍ଟର ସେକ୍ସନ ୬୯ଏଠୁ ଭିନ୍ନ ରହିଛି। ଏହା ପରେ ଟୁଇଟର ଭାରତ ସରକାରଙ୍କ କିଛି ନିୟମ ପାଳନ କରିଥିଲା। ଟୁଇଟର ଆଦେଶର ସମୀକ୍ଷା କରିବା ପାଇଁ ନିଜ ଆବେଦନରେ ତର୍କ ଦେଇଛି ଯେ, ଭାରତ ସରକାରଙ୍କ କିଛି ଆଇନ ଆଇଟି ଅଧିନିୟମ ବିରୋଧରେ ରହିଛି। ଉଲ୍ଲେଖନୀୟ ଆଇଟି ଆକ୍ଟର ସେକ୍ସନ ୬୯(ଏ) ମୁତାବକ ଯଦି କୌଣସି ସାମାଜିକ ଗଣମାଧ୍ୟମ ପୋଷ୍ଟ କିମ୍ବା ଆକାଉଣ୍ଟ ସାମାଜିକ ବ୍ୟବସ୍ଥାକୁ ବିଗାଡେ କିମ୍ବା ଦେଶର ସାର୍ବଭୌମତ୍ଵ ଏବଂ ଅଖଣ୍ଡତା ବିରୋଧରେ ଥାଏ ତେବେ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ। କେନ୍ଦ୍ର ସରକାରଙ୍କ ବ୍ୟତୀତ ଅନେକ ରାଜ୍ୟ ସରକାରଙ୍କ ମଧ୍ୟରେ ଟୁଇଟରକୁ ନେଇ ମତଭେଦ ରହିଛି।