ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ। ପାସ୍ ହାର ଆଗରେ ଅଛନ୍ତି ଛାତ୍ରୀ । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ଏ ନେଇ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। କଟକ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଦିନ ୨ଟାରୁ ବୋର୍ଡ ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ବିଷୟରେ ଜାଣିପାରିବେ। ଏଥି ପାଇଁ ବୋର୍ଡ଼ www.bseodisha.ac.in ଓ www.bseodisha.nic.in ୱେବସାଇଟ୍ ଜାରି କରିଛି। ଯଦି କୌଣସି ଅଞ୍ଚଳରେ ନେଟୱର୍କର ସମସ୍ୟା ରହିଛି ତାହେଲେ ସମ୍ପୃକ୍ତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ଜାଣିପାରିବେ। ଏଥିପାଇଁ ଛାତ୍ରଛାତ୍ରୀ OR10<ROLL NO> ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସଏମସ ପଠାଇବେ। ତେବେ ଚଳିତ ଥର ବୋର୍ଡ଼ ପକ୍ଷରୁ ୩ଟି ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଥିବାବେଳେ ଯେଉଁ ପଦ୍ଧତିରେ ପରୀକ୍ଷାର୍ଥୀମାନେ ସର୍ବାଧିକ ମାର୍କ ରଖିଥିବେ ତାହାକୁ ଚୂଡାନ୍ତ ମାର୍କ ବୋଲି ଗ୍ରହଣ କରାଯାଇଛି। ସେହିଭଳି ରାଜ୍ୟରେ ୩ ହଜାର ୫୪୦ ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ତାମଧ୍ୟରୁ ରେଗୁଲାର ବର୍ଗର ୫ ଲକ୍ଷ ୭୧ ହଜାର ୯୦୯ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟର ୯ ହଜାର ୩୭୮ଜଣ ଏବଂ ସଂସ୍କୃତ ମଧ୍ୟମା ରେ ୪ ହଜାର ୪୪୩ଜଣ ପରୀକ୍ଷାର୍ଥୀ ରହିଛନ୍ତି। ରେଗୁଲାର, ଏକ୍ସ ରେଗୁଲାର୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ମଧ୍ୟ ପ୍ରକାଶ ପାଇଛି।