
ଉମରକୋଟ:ଲାଞ୍ଚ ନେଇ ଫସିଲେ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ । ଏକ ଘରୋଇ ବିବାଦ ମାମଲାର ରଫାଦଫା କରିବାକୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ୨୦ ହଜାର ଟଙ୍କା ନେଉଥିବା ସମୟରେ ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ପକ୍ଷରୁ ବିଛା ଯାଇଥିବା ଜାଲରେ ଛନ୍ଦି ହୋଇଛନ୍ତି ।
ସୂଚନା ଅନୁସାରେ ,ଗୋଟିଏ ପୁରୁଣା ମାମଲାକୁ ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ନେଉଥିଲେ ଲାଞ୍ଚ। ଟଙ୍କା ନେଇ ଦୌଡ଼ି ପଳାଇ ଯାଉଥିବା ସମୟରେ ରାତି ୧୧ ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍। ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଓ ମାଲକାନଗିରି ଭିଜିଲାନ୍ସ ବିଭାଗର ମିଳିତ ଭାବରେ ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସକୁ ଚକମା ଦେଇ ଲିମରାଜ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ।ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି ଏସ ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ।
ସୂଚନା ଥାଉ କି , ଆଜି ଲିମରାଜଙ୍କର ଖାତିଗୁଡା ଥାନାକୁ ବଦଳି ହୋଇଥାନ୍ତା ।


