
ଆଜି କିଏ ହେବ ଭାରତର ପଞ୍ଚଦଶ ରାଷ୍ଟ୍ରପତି ?
ରାଇସେନା ହିଲ୍ ରେସରେ କାହାର ହେବ ବାଜିମାତ୍ ?
ଏନେଇ କିଛି ସମୟ ପରେ ପ୍ରକାଶ ପାଇବ ଫଳ । ଦିନ ୧୧ଟାରୁ ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବାସହ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ବୋଲି ସୂଚନା ମିଳିଥିବାବେଳେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରୁ କିଏ ରାଇସିନା ହିଲ୍ରେ ଅଭିଷିକ୍ତ ହେବେ ତାହା ସ୍ପଷ୍ଟ ହୋଇଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ସୂଚନା ଅନୁସାରେ,ସଂସଦ ଭବନର ୭୩ ନମ୍ବର ପ୍ରକୋଷ୍ଠରେ ହେବ ଭୋଟ୍ ଗଣତି । ପ୍ରଥମେ ସାଂସଦଙ୍କ ଭୋଟ୍ ଓ ୧୦ଟି ରାଜ୍ୟର ବର୍ଣ୍ଣମାଳା କ୍ରମରେ ଭୋଟ୍ ଗଣନା କରାଯିବ । ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଭୋଟ୍ ସର୍ଟିଂ ଓ ଯାଞ୍ଚ କରାଯିବ। ସାଂସଦ ଏବଂ ବିଧାୟକମାନେ ଭିନ୍ନ ରଙ୍ଗର କଲମ ବ୍ୟବହାର କରି ସେମାନଙ୍କ ମତଦାନ କରିଥିଲେ। ତେଣୁ ପ୍ରଥମେ ଏଗୁଡିକର ସର୍ଟିଂ କରାଯିବ। ସର୍ଟିଂ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନର ୭୩ ନମ୍ବର ପ୍ରକୋଷ୍ଠ ବାହାରେ ଏକ ମିଡିଆ ଷ୍ଟାଣ୍ଡ ସ୍ଥାପନ କରାଯାଇଛି। ଭୋଟ ଗଣନା ଆରମ୍ଭ ହେବା ପରେ ସେଠାରେ ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟ ଟ୍ରେଣ୍ଡ ସମ୍ପର୍କରେ ସୂଚନା ଦିଆଯିବ ।
ସୂଚନା ଥାଉ କି , ନୂଆ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ଗ୍ରହଣ କରିବେ ଏବଂ ଜୁଲାଇ ୨୪ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅବସର ନେବେ