
ନୂଆଦିଲ୍ଲୀ: ପୁଲିସ୍ ହେପାଜତରେ ରାହୁଲ ଗାନ୍ଧି। ରାହୁଲଙ୍କୁ ଦିଲ୍ଲୀ ପୁଲିସ୍ ରାସ୍ତାରୁ ଉଠାଇ ନେଇ ବସ୍ ଭିତରେ ଅଟକ ରଖିଛି। କେବଳ ରାହୁଲ ଗାନ୍ଧି ନୁହନ୍ତି କଂଗ୍ରେସର ଅନେକ ବରିଷ୍ଠ ନେତା ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ୍। ଆଜି ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଜେରା କରୁଛି। ଏହା ବିରୋଧରେ କଂଗ୍ରେସ ଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ବିକ୍ଷୋଭ ସଭାରେ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ। ଇଡିର ରାଜନୀତିକରଣ କରାଯାଉଥିବାରୁ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସଂସଦ ଠାରୁ ବିଜୟଚୌକି ଯାଏ ଶୋଭାଯାତ୍ରା କରିଥିଲେ। ଏହାର ନେତୃତ୍ୱ ନିଜେ ରାହୁଲ ଗାନ୍ଧି ନେଇଥିଲେ। ସେମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହାକୁ ବିରୋଧ କରି ରାହୁଲ ଗାନ୍ଧି ରାସ୍ତା ଉପରେ ହିଁ ବସି ପଡ଼ି ପ୍ରତିବାଦ କରିଥିଲେ। ଏଥିରେ ପୁଲିସ୍ ଉତକ୍ଷିପ୍ତ ହୋଇ ରାହୁଲ ଗାନ୍ଧିଙ୍କୁ ବଳ ପୂର୍ବକ ସେଠାରୁ ଉଠାଇ ନେଇ ବସ୍ ଭିତରେ ଅଟକ ରଖିଥିଲା। ଏହାର ଭିଡିଓ ଓ ଫଟୋ ମଧ୍ୟ ଭାଇରାଲ ହେଉଛି। ସେହିପରି ଆକବର ରୋଡରେ ଥିବା କଂଗ୍ରେସ ମୁଖ୍ୟାଳୟ ବାହାରେ ବିକ୍ଷୋଭ କରୁଥିବା ବରିଷ୍ଠ ନେତା ସଚିନ ପାଇଲଟ, ପବନ ଖେଡା, ହରିଶ ରାୱତ, ପବନ ବଂଶଲ ଓ ଅଳକା ଲାମ୍ବାଙ୍କୁ ମଧ୍ୟ ପୁଲିସ୍ ଅଟକ ରଖିଛି। ସେମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ ସ୍ଥାନରୁ ଉଠାଇ ନେଇ ପୁଲିସ୍ ବସରେ ଭର୍ତ୍ତି କରିଥିଲା। ଏହାପରେ ସେମାନଙ୍କୁ ଅନ୍ୟତ୍ର ନିଆଯାଇଛି। ଶତାଧିକ ନେତା ଓ କର୍ମୀ ପୁଲିସ୍ ଦ୍ୱାରା ଅଟକ ରହିଥିଲେ ମଧ୍ୟ ବାକି କଂଗ୍ରେସ କର୍ମୀମାନେ ବିକ୍ଷୋଭ ଜାରି ରଖିଛନ୍ତି।