ମହାରାଷ୍ଟ୍ରରେ ରାଜନୀତି ପ୍ରତିଦିନ ରୋଚକ ହେବାରେ ଲାଗିଛି । ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଏବେ ତାଙ୍କ ଘନିଷ୍ଠ ସଞ୍ଜୟ ରାଉତ ଇଡି ହେପାଜତରେ ଅଛନ୍ତି । ଏହାରି ଭିତରେ ବିଜେପିକୁ କଡା ଶବ୍ଦରେ ଚେତାବନୀ ଦେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଉଦ୍ଧବ ଠାକରେ କହିଛନ୍ତି, ବିଜେପି ଜଲଗାଓଁରେ ଗୋଲାପ ଦେଖିଛି, କିନ୍ତୁ ଏବେ ସେମାନଙ୍କୁ ଶିବସୈନିକଙ୍କ କଣ୍ଟା ଦେଖିବାକୁ ପଡିବ। ଜଲଗାଓଁରୁ ଶିବସେନାର ବିଦ୍ରୋହୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୁଲାବରାଓ ପାଟିଲରୁ ଟାର୍ଗେଟ କରି ଉଦ୍ଧବ ଠାକରେ ଏହି କଥା କହିଛନ୍ତି । ମତୋଶ୍ରୀ ବାହାରେ ୱାସୀମ ଏବଂ ଜଲଗାଓଁର ଶିବସେନା ସମର୍ଥକଙ୍କୁ ଉଦବୋଧନ ଦେଇ ଉଦ୍ଧବ ଏହା କହିଛନ୍ତି । ଏହାସହ ଉଦ୍ଧବ ଠାକରେ କହିଛନ୍ତି, ‘ଆମେ ସେମାନଙ୍କୁ ଆମର ଭଲପାଇବା ଏବଂ ଭରଷା ଦେଇଥିଲୁ କିନ୍ତୁ ସେମାନେ ଆମ ଭରଷା ଭାଙ୍ଗିଛନ୍ତି ।
ସାପକୁ ଯେତେ କ୍ଷୀର ଦେଲେ ମଧ୍ୟ ସେ ଯେବେ ଚୋଟ ମାରିବାକୁ ଚାହିଁବ ସେ ମାରିବ’। ଏହାସହ ସେ ସଞ୍ଜୟ ରାଉତଙ୍କ ବିରୁଦ୍ଧରେ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ବୟାନ ଦେଇଛନ୍ତି । ଦଳକୁ ଶେଷ କରିବା ଷଡଯନ୍ତ୍ରରେ ଏପରି କରାଯାଉଥିବା ସେ କହିଛନ୍ତି । ଏହା ପୂର୍ବରୁ ଶିବସେନାର ମୁଖପତ୍ର ସାମନା ନିଜର ସମ୍ପାଦକୀୟରେ ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେଇଥିଲା । ଶିବସେନା କହିଥିଲା, ‘ବିଦ୍ରୋହୀ ବିଧାୟକ ଏବଂ ସାଂସଦ ଏହାକୁ ଗୁରୁତର ସହ ନଅନ୍ତୁ, ସିନ୍ଦେ ଗୋଷ୍ଠୀ ଦିନେ ଖାଲି ହୋଇଯିବ ଏବଂ ସିନ୍ଦେରାଜ ଶେଷ ହେବ’।