ଆମେ ଭାରତୀୟ ଭାରତ ଆମର
ପୃଥିବୀର ଏକ ସ୍ଥାନ,
ନାହିଁ ଭେଦଭାବ କି ବାଛବିଚାର
ସ୍ବଛ ଅଟେ ଆମ ମନ ।
ସରଳ ମନରେ ସଭିଙ୍କୁ ବିଶ୍ବାସ
ସ୍ନେହ ପରଶେ ନିଜର,
ଜଗତେ କେବଳ ମାନବ ଧର୍ମ
ଆନ ଚିନ୍ତା ନାହିଁ ଆମର।
କେତେ ଭଲ ଥିଲା ମୁକ୍ତ ହୋଇ ଏହି
ଦେଶ ଜନ ଚଳୁଥିଲେ,
ବିଦେଶୀଙ୍କ ଛଳନାରେ ଯେ ଶିକାର
ହୋଇ ପରାଧୀନ ହେଲେ ।
ଭାରତୀ ସନ୍ତାନ ଦମ୍ଭେ ଥିଲୁ ମନ
ସତ୍ୟଧର୍ମ ପଥେ ଯାଇ,
ଜଗତ ନାୟକ ଶ୍ରୀଜଗନ୍ନାଥଙ୍କ
ଶ୍ରୀପଦେ ଚିତ୍ତକୁ ଧ୍ୟାୟୀ।
ଅହିଂସା ଲଢେଇ ବିଜୟ ଆଣଇ
ଗର୍ବରେ ଛାତି ଫୁଲେଇ,
ଉଡାଉ ତ୍ରିରଙ୍ଗା ଘରଠୁ ବାହାର
ମହାତ୍ମାଙ୍କ ଗୁଣ ଗାଇ।
ତିନି ରଙ୍ଗ ପୁଣି ବାଛି ବାଛି ରହେ
ଶାନ୍ତି ମୈତ୍ରୀ ଓ ବିଶ୍ୱାସ,
ନାରଙ୍ଗୀ, ଧବଳ,ସବୁଜ ବର୍ଣ୍ଣ ଯେ
ଦିଅଇ ଧୈର୍ଯ୍ୟ ଉଶ୍ବାସ ।
ଆମରି ପତାକା ଏମିତି ସୁନ୍ଦର
ନାହିଁ ତା ପରି ମହୀରେ,
ବନ୍ଦେ ଉତ୍କଳ ଜନନୀ ଗାୟନ
କରୁ ଆଜି ତା’ପାଇଁ ରେ ।
ତ୍ରିରଙ୍ଗା ଥିଲେ ହାତରେ ବଢେ
ଧୈର୍ଯ୍ୟ, ବଳ, ସାହସ,
ତା ନାମ ଧରିଲେ ତା କହିଲେ
ମୁଖେ ଫୁଟିଉଠେ ହସ ।
ଆଜି ତ ସବୁଠି ଘରେ ଘରେ ପୁରେ
ଖୁସିର ଲହରୀ ଛୁଟେ,
ତ୍ରିରଙ୍ଗାର ମାନ ତ୍ରିରଙ୍ଗା ଗାନରେ
ଦିବସ ଆମର କଟେ ।
ଏହି ତ୍ରିରଙ୍ଗାକୁ ସମ୍ମାନ ଜଣାଇ
ବନ୍ଦେ ଭାରତ ଜନନୀ,
ଗାଇବା ଉଚ୍ଚରେ ଧରିଣ ତ୍ରିରଙ୍ଗା
(ଦେବା) ବନ୍ଦେ ମାତରମ୍ ଧ୍ବନି ।
(ବଙ୍ଗଳାଶ୍ରୀ ରାଗ)
ପ୍ରଣତି ମହାପାତ୍ର