ଖୋଲିଲା ବିଜେପି ନେତ୍ରୀ ସୋନାଲି ଫୋଗଟ୍ଙ୍କ ମୃତ୍ୟୁର ରହସ୍ୟ । ଏବେ ଭିନ୍ନ ମୋଡ଼ ନେଇଛି ବିଜେପି ନେତ୍ରୀ ସୋନାଲି ଫୋଗଟ୍ଙ୍କ ମୃତ୍ୟୁ । ସୋନାଲିଙ୍କ ଭାଇ ରିଙ୍କୁ ଅଭିଯୋଗ କରିଛନ୍ତି ଯେ ସୋନାଲିଙ୍କ ବ୍ୟକ୍ତିଗତ ସଚିବ ସୁଧୀର ସାଙ୍ଗୱାନ୍ ଓ ତାଙ୍କ ସାଙ୍ଗ ସୁଖବିନ୍ଦର ମିଳିତ ଭାବେ ସୋନାଲିଙ୍କ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ସମ୍ପର୍କୀତ ଭିଡ଼ିଓ ପ୍ରସ୍ତୁତ କରିବା ପରେ ଦୁହେଁ ସୋନାଲିଙ୍କୁ ବ୍ଲାକ୍ମେଲ୍ କରୁଥିଲେ । ସୋନାଲିଙ୍କ ସମ୍ପତ୍ତି ଉପରେ ଦୁହିଁଙ୍କର ନଜର ଥିଲା । ଏବଂ ସେ ଦୁହେଁ ସୋନାଲିଙ୍କ ସମ୍ପତ୍ତିକୁ ହଡପ କରିବାକୁ ଚାହୁଁଥିଲେ । ବୁଧବାର ରିଙ୍କୁ ଗୋଆ ପୁଲିସ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ହରିଆଣାର ଭୁଥନକଲାଂ ହେଉଛି ସୋନାଲିଙ୍କ ପୈତୃକ ଗାଁ । ସେଠାରେ ସୋନାଲିଙ୍କ ବାପା ମା, ଦୁଇ ଭାଇ ଓ ଭାଉଜ ରହୁଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ଗୋଆ ଡିଜିପି ନିଜେ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି । ସୋନାଲିଙ୍କ ଭାଇ ରିଙ୍କୁ ପୁଣି କହିଛନ୍ତି ଯେ ହିସାରରେ ତାଙ୍କ ଭଉଣୀ ସୋନାଲି ଫୋଗଟଙ୍କ ବିବାହ ହୋଇଥିଲା । ବିବାହର କିଛି ବର୍ଷ ପରେ ତାଙ୍କ ଭିଣୋଇ ସଂଜୟ ଫୋଗଟଙ୍କ ଦେହାନ୍ତ ହୋଇଥିଲା । ତା’ପରେ ସୋନାଲି ବିଜେପିରେ ମିଶି ରାଜନୀତିରେ ବ୍ୟସ୍ତ ରହିଲେ । ୨୦୧୯ରେ ରୋହତକ ନିବାସୀ ସୁଧୀର ଓ ଭିୱାନୀ ନିବାସୀ ସୁଖବିନ୍ଦରଙ୍କ ସହ ସୋନାଲିଙ୍କର ସାକ୍ଷାତ ହୋଇଥିଲା । ସରଳ ବିଶ୍ୱାସୀ ଭଉଣୀ ସେମାନଙ୍କର ଷଡ଼ଯନ୍ତ୍ର ବୁଝି ପାରିଲାନି ଫସିଗଲା । ସୋନାଲି ସୁଧୀରଙ୍କୁ ପିଏ ଭାବେ ନିଯୁୂକ୍ତ କଲେ । ୨୦୨୧ରେ ସୋନାଲିଙ୍କ ଘରେ ଚୋରି ହୋଇଥିଲା । ଆଉ ସେ ଚୋରୀ ଖୋଦ୍ ସୁଧୀର ହିଁ କରିଥିଲା । ମାତ୍ର ଚୋରି ଆଭିଯୋଗରେ ରାନ୍ଧୁଣିଆ ଓ ଆଉ ଜଣେ କର୍ମଚାରୀଙ୍କୁ ବାହାର କରି ସୁଧୀର ସବୁ ଦାୟିତ୍ୱ ମୁଣ୍ଡାଇଥିଲା । ହିସାରସ୍ଥିତ ଘରେ ସୁଧୀର ସୋନାଲିକୁ ନିଶାଯୁକ୍ତ ଖାଦ୍ୟ ଖୁଆଇବା ପରେ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ଭିଡିଓ ଦେଖାଇ ସୁଧୀର ବହୁବାର ସୋନାଲି ସହିତ ଶାରୀରିକ ସମ୍ପର୍କ ରଖିଥିଲା । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସୋନାଲି ତାଙ୍କ ସାନ ଭିଣେଇ ଅମନଙ୍କୁ ଫୋନ୍ କରି ସୁଧୀର ତାଙ୍କୁ ଖିରୀ ପିଇବାକୁ ଦେଇଥିବା କହିଥିଲା । ଖିରୀ ପିଇବା ପରଠାରୁ ସୋନାଲିଙ୍କ ମୁଣ୍ଡ ବୁଲାଇଥିଲା । ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ହାତଗୋଡ଼ ଥରିବା ଆରମ୍ଭ କରିଥିଲା ବୋଲି ରିଙ୍କୁ ତାଙ୍କର ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।