ବାରମ୍ବାର ଚଢାଉରେ ଅତିଷ୍ଟ ମମତା ବାନାର୍ଜୀ
ରାଜ୍ୟରେ ଥିବା କେନ୍ଦ୍ରୀୟ ଅଫିସରମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଦେଲେ ଧମକ

ପଶ୍ଚିମବଙ୍ଗରେ ବାରମ୍ବାର ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଚଢ଼ାଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅତିଷ୍ଟ କଲାଣି। ତେଣୁ ସେ ରାଜ୍ୟରେ ଥିବା କେନ୍ଦ୍ରୀୟ ଅଫିସରମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ବୋଲି ଧମକ ଦେଇଛନ୍ତି। ସୋମବାର ଏନେଇ ଏହି ଚେତାବନୀ ଦେଇଛନ୍ତି ମମତା। ଟିଏମ୍ସି ଛାତ୍ର ଶାଖା ଦ୍ୱାରା ଆୟୋଜିତ ଏକ ରାଲିରେ ଯୋଗ ଦେଇ ଏମିତି କହିଛନ୍ତି ମମତା। ସେ କହିଛନ୍ତି “ ମୋ ପାଖରେ ବି ସିବିଆଇ, ଇଡି ଓ ଅନ୍ୟ କେନ୍ଦ୍ରୀୟ ଅଫିସରଙ୍କ ବିରୋଧରେ ମାମଲା ରହିଛି। ଯଦି ଆପଣ ମୋ ଅଫିସରମାନଙ୍କୁ ଦିଲ୍ଲୀ ଡାକୁଛନ୍ତି ତେବେ ମୁଁ ବି ଆପଣଙ୍କ ଅଫିସରମାନଙ୍କୁ ଏଠିକି ଡାକିପାରିବି।” ରାଜ୍ୟରେ ଥିବା କେନ୍ଦ୍ରୀୟ ଅଫିସରମାନଙ୍କ ମଧ୍ୟରୁ ପାଖାପାକଇ ୮ ଜଣଙ୍କ ବିରୋଧରେ ମାମଲା ରହିଛି ବୋଲି ମମତା କହିଛନ୍ତି।

ସେମାନେ ସିବିଆଇ ଆମ ଲୋକଙ୍କୁ ଗିରଫ କରୁଛନ୍ତି। ମୁଁ ସବୁ ମନେ ରଖୁଛି। ପାର୍ଥ ଚାଟାର୍ଜୀଙ୍କର ଦୁର୍ନୀତି ନେଇ ମମତା କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିପାରିଲା ନାହିଁ। ତେଣୁ ବିଜେପି ମିଡିଆ, ନ୍ୟାୟପାଳିକା ଓ ରାଜନୈତିକ ପାର୍ଟିଗୁଡ଼ିକୁ ଭୟ କଲାଣି। ବିଜେପି ସିବିଆଇ ଓ ଇଡି ଲଗାଇ ଲୋକଙ୍କ ଘରୁ ଟଙ୍କା ଲୁଟୁଛି ବୋଲି ମମତା କହିଛନ୍ତି। ତେବେ ବିଲ୍କିସ ବାନୋ ମାମଲାରେ ମଧ୍ୟ ପରୋକ୍ଷରେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ମମତା। ଏହି ମାମଲାରେ ଦୋଷୀମାନଙ୍କୁ ଦଣ୍ଡ ଦେବାକୁ ଟିଏମ୍ସି କୋଲକାତାରେ ୪୮ ଘଣ୍ଟା ଧାରଣ ଦେବ ବୋଲି ମମତା ଘୋଷଣା କରିଛନ୍ତି। ବିଲ୍କିସନ ବାନୋଙ୍କୁ ଗଣଦୁଷ୍କର୍ମ ଓ ପରିବାର ଲୋକଙ୍କୁ ହତ୍ୟା ମାମଲାରେ ୧୪ ବର୍ଷ ସଜା କାଟିଥିବା ୧୧ ଦୋଷୀଙ୍କୁ ଅଗଷ୍ଟ ୧୫ ତାରିଖରେ ଛାଡ଼ି ଦେଇଥିଲେ ଗୁଜରାଟ ସରକାର। ରାଜ୍ୟରେ ଥିବା କ୍ଷମା ନିୟମରେ ମାମଲାକୁ ବିଚାର କରି ଦୋଷୀଙ୍କୁ ଛାଡି ଦେଇଥିଲେ ଗୁଜରାଟ ସରକାର। ଯାହାକୁ ନେଇ ସୁପ୍ରିମକୋର୍ଟରେ ପୁଣି ମାମଲା ହୋଇଛି।



