ପାକିସ୍ତାନରେ ଟମାଟର କେଜି ୪୦୦, ଆକାଶ ଛୁଉଁଛି ଅନ୍ୟ ପନିପରିବା ଦର
ଭାରତରୁ ଆମଦାନୀ ଲାଗି ଦାବି କରୁଛନ୍ତି ଲୋକେ

ବନ୍ୟା ଯୋଗୁ ପାକିସ୍ତାନ ପରିସ୍ଥିତି ଏବେ ଜଟିଳ। ଫସଲ ଉପରେ ବନ୍ୟା ପାଣି ମାଡି ରହିବା ଦେଶରେ ଖାଦ୍ୟ ଶସ୍ୟରୁ ଆରମ୍ଭ କରି ପନିପରିବା ଦର ଏବେ ଆକାଶ ଛୁଇଁଛି। ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ପିଆଜ ଓ ଟମାଟୋ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କେଜି ପିଛା ଦର ୪୦୦ରୁ ୫୦୦ ଟଙ୍କାକୁ ପହଞ୍ଚିଛି। ମୂଲ୍ୟ ବୃଦ୍ଧିରେ ବେହାଲ ଜନତା ସରକାରଙ୍କୁ ଜିଦ ଛାଡି ଭାରତ ସହ ବ୍ୟବସାୟ ମାର୍ଗ ଖୋଲିବାକୁ ଦାବି କରିଛନ୍ତି। ଯାହା ଦ୍ୱାରା ମୂଲ୍ୟ ବୃଦ୍ଧି ଜନିତ ପରିସ୍ଥିତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିବ ବୋଲି କହିଛନ୍ତି।
ଅପରପଟେ ଭାରତରୁ ପନିପରିବା ଓ ଫଳ ଆଦି ଆମଦାନୀ ଲାଗି ଏପର୍ଯ୍ୟନ୍ତ ଶହବାଜ ସରିଫ ସରକାର ନିଷ୍ପତ୍ତିରେ ଉପନୀତ ହୋଇ ପାରି ନାହାନ୍ତି। ବ୍ୟବସାୟୀ ମଣ୍ଡଳୀ ଅନୁନ୍ୟ ଖାଉଟିଙ୍କ ଲାଗି ଭାରତରୁ ପିଆଜ ଓ ଟମାଟୋ ମଗାଇବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଦେଶରେ ପନିପରିବା ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଭାରତରୁ ଖାଦ୍ୟ ସାମଗ୍ରୀ ଆମଦାନୀ ଲାଗି ପ୍ରଥମେ ଅର୍ଥମନ୍ତ୍ରୀ ମିଫ୍ତା ଇସ୍ମାଇଲ ସୋମବାର କହିଥିଲେ।