ଇଟାଲିରୁ ଭାରତ ଫେରିବା ପରେ ସୋନିଆଙ୍କୁ ଭେଟିବେ ନୀତୀଶ
ନୂଆଦିଲ୍ଲୀ: ବିଜେପିକୁ ହଟେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନିତିଶ । କେନ୍ଦ୍ରରୁ ବିଜେପି ଶକ୍ତିକୁ ହାଟାଇବା ପାଇଁ ନୀତିଶ କୁମାର ଦିଲ୍ଲୀ ଚଲ୍ଲୋ ଅଭିଯାନରେ ଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରି ଅଣ୍ଟା ଭିଡ଼ିଛନ୍ତି ନୀତୀଶ। ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ ଏକତ୍ରିତ କରି ଶକ୍ତିଶାଳି କରିବାକୁ ପ୍ରୟାସ କରୁଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ନୀତୀଶ କୁମାର ଏହାରି ଭିତରେ ଅନେକ ବିରୋଧୀ ନେତାଙ୍କୁ ଭେଟିସାରିଲେଣି। ତେବେ ଇଟାଲିରୁ ଭାରତ ଫେରିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତୀଶ କୁମାର। ଅଗଷ୍ଟ ୨୭ତାରିଖରେ ସୋନିଆଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ଏବେ ସୋନିଆ ଗାନ୍ଧି ଇଟାଲିରେ ଅଛନ୍ତି। ନୀତୀଶ କୁମାର କହିଛନ୍ତି ଯେ, ସୋନିଆ ଗାନ୍ଧି ଇଟାଲୀରୁ ଫେରିବା ପରେ ତାଙ୍କ ସହ ସାକ୍ଷାତକାର କରିବେ। ଏଥିପାଇଁ ସେ ପୁଣି ଥରେ ଦିଲ୍ଲୀ ଆସିବି ବୋଲି କହିଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ସେ ଅନେକ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଛି ବୋଲି ନୀତିଶ କୁମାର କହିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ନୀତୀଶ କୁମାର ଗତକାଲି ବିହାର ଫେରିଛନ୍ତି। ତାଙ୍କର ଦିଲ୍ଲୀ ଗସ୍ତ ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବ, ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଭାରତୀୟ ଜାତୀୟ ଲୋକ ଦଳର ନେତା ଓମ ପ୍ରକାଶ ଚୌତାଲା ଏବଂ ଶରଦ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି।