
ଜମ୍ମୁ: ଗୁଲାମ ନବୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳ ତାଙ୍କ ଉପରେ ଆକ୍ରମଣ ଜାରି ରଖିଛି । ସେ କହିଛନ୍ତି ଯେ, କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲେ , ମୁଁ ଗୋଟିଏ ରାଇଫଲରେ ନଷ୍ଟ କରିଦେବି। ତେବେ ପ୍ରତିଆକ୍ରମଣ ପାଇଁ ପଛଘୁଞ୍ଚା ଦେଇ ନାହାନ୍ତି ଗୁଲାମ ନବୀ। ସେ କହିଛନ୍ତି ଯେ, କଂଗ୍ରେସ ସର୍ବଦା ମୋ ପ୍ରତି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। କିନ୍ତୁ ମୋ ପାଖରେ ଥିବା ରାଇଫଲ କାଫି। ମୁଁ ଯଦି କ୍ଷେପଣାସ୍ତ୍ର ବ୍ୟବହାର କରିବି ସେମାନେ ଧ୍ୱଂସ ହୋଇଯିବେ। କିନ୍ତୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ଉପରେ ମନ୍ତବ୍ୟ ଦେବାକୁ ମୁଁ ଉଚିତ ମନେ କରୁ ନାହିଁ। ଯେହେତୁ ମୁଁ କଂଗ୍ରେସରେ ୫୨ ବର୍ଷ ହେଲା ସଦସ୍ୟ ଥିଲି ମୁଁ ରାଜୀବ ଗାନ୍ଧିଙ୍କୁ ନିଜ ଭାଇ ଭଳି ସମ୍ମାନ ଦିଏ। ତାଙ୍କ ପ୍ରତି ମୋର ଅନେକ ଶ୍ରଦ୍ଧା ରହିଛି। ସେଥିପାଇଁ ମୁଁ ତାଙ୍କ ପ୍ରତି ଗୋଟିଏ ବି ଶବ୍ଦ ବ୍ୟବହାର କରିବାକୁ ଉଚିତ ମନେ କରୁନାହିଁ। ଏହି ଅବସରରେ ଆଜି ତାଙ୍କ ନୂଆ ଦଳର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରିଥିଲେ । ଗରିବଙ୍କ ସେବା ପାଇଁ ତାଙ୍କ ଦଳ ସମର୍ପିତ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମୁଁ ଏ ପର୍ଯ୍ୟନ୍ତ ମୋ ପାର୍ଟିର ନାମ ସ୍ଥିର କରି ନାହିଁ। ଜମ୍ମୁ କଶ୍ମୀରର ଲୋକମାନେ ଦଳର ନାମ ଏବଂ ପତାକା ସ୍ଥିର କରିବେ। ମୁଁ ମୋ ପାର୍ଟିକୁ ଏକ ହିନ୍ଦୁସ୍ତାନୀ ନାମ ଦେବି ଯାହା ସମସ୍ତଙ୍କୁ ନେଇ ଚାଲିପାରିବ ବୋଲି ଆଜାଦ୍ କହିଛନ୍ତି।