ଓଡ଼ିଶାସ୍ୱତନ୍ତ୍ର

ଶାନ୍ତିସ୍ତୂପ ଧଉଳି ପାଳିବ ସୁବର୍ଣ୍ଣ ଜୟନ୍ତୀ,ଏନେଇ ପ୍ରସ୍ତୁତି ଆରମ୍ଭ

ଶାନ୍ତିସ୍ତୂପ ଧଉଳି ପାଳିବ ସୁବର୍ଣ୍ଣ ଜୟନ୍ତୀ । ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି ଧଉଳି ପାହାଡ଼ରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୂପ ଏବଂ ବୌଦ୍ଧ ପୁଣ୍ୟପୀଠ । ଏନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ବସିଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉପସ୍ଥିତ ଥିଲେ । ସେ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ବୈଠକରେ ନିଆଯାଇଥିବ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେବାର ସମ୍ଭାବନା ଅଛି । ସେହିଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ ।

ମୁଖ୍ୟ ଶାସନ ସଚିବ କହିଥିଲେ, ଶାନ୍ତିସ୍ତୂପ ଓଡ଼ିଶାର ଅନ୍ୟ ଏକ ପରିଚୟ । ରାଜ୍ୟ ସରକାର ଏବଂ କଳିଙ୍ଗ ନିପ୍ପୋନ୍‌ ବୁଦ୍ଧ ସଂଘ ସହଭାଗିତାରେ ପ୍ରତିଷ୍ଠିତ ଏହି କୀର୍ତ୍ତିସ୍ତମ୍ଭ ବହୁସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ତେଣୁ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ ୧.୮୭ କୋଟି ଟଙ୍କା ବ୍ୟୟରେ ଶାନ୍ତିସ୍ତୂପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଯାହା ଚଳିତ ମାସ ଶେଷସୁଦ୍ଧା ସାରିବା ପାଇଁ ମୁଖ୍ୟ ଶାସନ ସଚିବ ପୂର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶାନ୍ତିସ୍ତୂପକୁ ସଂଯୋଗ କରୁଥିବା ରାସ୍ତାର ନବୀକରଣ ଓ ଆଲୋକୀକରଣ କାର୍ଯ୍ୟ ଉତ୍ସବର ବହୁ ଆଗରୁ ସାରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ବୈଠକରେ ଉପସ୍ଥିତ ଶିଳ୍ପୀଗୁରୁ ଡ. ସୁଦର୍ଶନ ସାହୁ କହିଥିଲେ, ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଚାଲିଥିବା କାର୍ଯ୍ୟର ପ୍ରଶଂସା କରିଥିଲେ । ଧଉଳିର ମୁଖ୍ୟ ସନ୍ନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିଥିଲେ ।

ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ସନ୍ନ୍ୟାସୀ ଓ ପ୍ରତିନିଧିମାନଙ୍କର ଆଗମନ, ରହଣୀ, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ରାଜ୍ୟ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଧଉଳି ଉନ୍ନୟନ କମିଟିଙ୍କୁ ପରାମର୍ଶ ଦେଇଥିଲେ । ଏହି କମିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ଧଉଳିରେ ସ୍ଥାପିତ ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣାବେକ୍ଷଣ ଓ ପରିଚ୍ଛନ୍ନତା କାର୍ଯ୍ୟ ନିୟମିତ ଭାବେ କରିବା ପାଇଁ ସ୍ଥାନୀୟ କମିଟିଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ କମିଟି ପ୍ରବେଶ ଟିକେଟ୍‌ ଓ ପାର୍କିଂ ଟିକେଟ୍‌ ଆଦିରୁ ସଂଗୃହୀତ ରାଶି ବିନିଯୋଗ କରିବେ । ଶାନ୍ତିସ୍ତୂପ ପାଦଦେଶ ପ୍ଲାଟ୍‌ଫର୍ମର ନବୀକରଣ, ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀର ନବୀକରଣ ଏବଂ ପୁନଃଆରମ୍ଭ, ଦୂରରୁ ସ୍ତୂପର ଦୃଶ୍ୟକୁ ଅବରୋଧ କରୁଥିବା ବୃକ୍ଷଡ଼ାଳ ଆଦିର ସଜ୍ଜୀକରଣ, ରାସ୍ତା ଆଲୋକୀକରଣ, ହସ୍ତଶିଳ୍ପ ବଜାର ଏବଂ ସପିଂ କମ୍ପେ୍ଲକ୍ସକୁ ବ୍ୟବସାୟ ଅନୁକୂଳ ଉପଯୁକ୍ତ ଯାଗାକୁ ସ୍ଥାନାନ୍ତରଣ ବିଷୟରେ ଆଲୋଚନା ହୋଇଥିଲା । ସେସବୁର ସମାଧାନ ପନ୍ଥା ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା ।

 

Show More

Related Articles

Back to top button