
କଟକ : ବିଷ ପିଇ କଟକ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ଆଶୁତୋଷ ମଲ୍ଲିକ । ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତ ୯ତାରିଖରେ କଲେଜରୁ ଫେରି ଆଶୁତୋଷ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କର ମୃତ୍ୟୁ ଘଟିଛି। କଲେଜରେ ରାଗିଂ ଯୋଗୁଁ ଆଶୁତୋଷ ବିଷ ପିଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ପରିବାରର ଅଭିଯୋଗ ଉପରେ କଲେଜ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।