
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର ୧୬ରେ ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ ବିମାନ ଏହି ସୋରେ ସାମିଲ ହୋଇଛନ୍ତି। ସୂଚନାଅନୁଯାୟୀ, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଏୟାର ସୋ’ର ନାମ ‘ସୂର୍ଯ୍ୟକିରଣ’ ରଖାଯାଇଛି। ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ଅନୁଷ୍ଠିତ ହେବ। ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବାୟୁସେନାର ସ୍ୱତନ୍ତ୍ର ଅଫିସରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମରେ ଯେମିତି କୌଣସି ବାଧା ନ ଉପୁଜେ ତାକୁ ଦୃଷ୍ଟିରେ ରଖି କମିସନେରଟ ପୁଲିସ ପକ୍ଷରୁ ବାୟୁସେନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ ଜାରି ରଖିଛନ୍ତି। ସୁରୁଖୁରୁରେଏହି ଏୟାର ସୋ’ କେମିତି ଅନୁଷ୍ଠିତ ହେବ ତାର ତଦାରଖ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।