
ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ବିଜେପିରେ ସାମିଲ ହେବେ। ସେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଥିଲେ। ଏଥିସହ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନୂଆ ଦଳ ଗଠନ କରି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ତାଙ୍କ ଦଳ ଗୋଟିଏ ହେଲେ ବି ଆସନ ଜିତି ପାରି ନଥିଲା। ଏବେ ସେ ନିଜର ଆଗାମୀ ରାଜନୀତିକ ଭବିଷ୍ୟତକୁ ବଜାୟୀ ରଖିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପିରେ ମିଶିବାକୁ ଯାଉଛନ୍ତି। ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପଞ୍ଜାବ ଲୋକ କଂଗ୍ରେସ ମଧ୍ୟ ବିଜେପି ସହ ବିଲୀନ ହେବ। ସେ ଆଜି ବିଜେପିରେ ଯୋଗଦେବାକୁ ଥିବା ବେଳେ ଏହାପୂର୍ବରୁ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏହାପରେ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ। କ୍ୟାପ୍ଟେନ ସିଂହଙ୍କ ବ୍ୟତୀତ ପଞ୍ଜାବ ଲୋକ କଂଗ୍ରେସରେ ଥିବା ୭ ଜଣ ପୂର୍ବତନ ବିଧାୟକ ଓ ଜଣେ ସାଂସଦ ମଧ୍ୟ ଆଜି ବିଜେପିରେ ମିଶିବେ। ସ୍ପାଇନାଲ ସର୍ଜରୀ ପାଇଁ ଲଣ୍ଡନ ଯାଇଥିବା ୮୦ ବର୍ଷୀୟ କ୍ୟାପ୍ଟେନ ସିଂହ କିଛି ଦିନ ତଳେ ଭାରତ ଫେରିଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ଭେଟଘାଟ ପରେ ହିଁ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୧୨ରେ ଅମିତ ଶାହଙ୍କୁ ଭେଟିବା ପରେ କ୍ୟାପ୍ଟେନ ସିଂହ କହିଥିଲେ ଯେ ଜାତୀୟ ସୁରକ୍ଷା, ପଞ୍ଜାବରେ ବଢ଼ୁଥିବା ନାର୍କୋ ଟେରୋରିଜିମ ଓ ରାଜ୍ୟର ଭବିଷ୍ୟତ ବିକାଶ ସମ୍ପର୍କରେ ତାଙ୍କର ଆଲୋଚନା ଶାହଙ୍କ ସହ ହୋଇଛି। ହେଲେ ରାଜନୀତିକ ବିଷୟବସ୍ତୁ ସମ୍ପର୍କରେ ହୋଇଥିବା ଆଲୋଚନା ସମ୍ପର୍କରେ ସେ କିଛି ବି କହିଥିଲେ। ସୂଚନାଯୋଗ୍ୟ, ପଞ୍ଜାବ ଲୋକ କଂଗ୍ରେସ ରାଜ୍ୟ ବିଧାନସଭା ନିର୍ବାଚନ ବିଜେପି ସହ ମିଶି ଲଢ଼ିଥିଲା।