
ଏଣିକି ପୁଣି ଚାକିରୀ କରିବେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଏଭଳି ସୁଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାଜ୍ୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ମେଣ୍ଟର ରୂପେ ନିଯୁକ୍ତ କରାଯିବା ସହ ଏହି ସେମାନଙ୍କୁ ମାସିକିଆ ଭତ୍ତା ମଧ୍ୟ ମିଳିବ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ,କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକଓ ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ଏନେଇ ଆଦେଶ ଜାରି କରିଛନ୍ତି ମୌଳିକ ଶିକ୍ଷା ପ୍ରମୁଖ ସଚିବ ଦୀପକ କୁମାର ।
ଆଦେଶ ମୁତାବକ, ଯେଉଁ ସରକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ ନିଯୁକ୍ତ ହେବା ପାଇଁ ଇଚ୍ଛୁକ ଅଛନ୍ତି, ସେହି ଶିକ୍ଷକ ମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
ଏହି ଯୋଜନା ବିଷୟରେ ମୌଳିକ ଶିକ୍ଷା ସଚିବ ବିଜୟ କୁମାର ଆନନ୍ଦ କହିଛନ୍ତି, ସଂରକ୍ଷକ ରୂପେ ସହକର୍ମୀଙ୍କ ଶିକ୍ଷା ସୁନିଶ୍ଚିତ କରିବା, ଅନ୍ତର୍ନିହିତ ପ୍ରେରଣା ପ୍ରଦାନ ତଥା ଶ୍ରେଣୀ ଗୃହଗୁଡ଼ିକୁ ଛାତ୍ର କୈନ୍ଦ୍ରିତ କରିବାର ଆବଶ୍ୟକ ରହିଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଲାଭ ସ୍ତରରେ ସୁଧାର ଆସି ପାରିବ। ଏ
ସେହିପରି ଶିକ୍ଷା ଅଧିକାରୀମାନଙ୍କ କହିବା କଥା ହେଲା, ଏହା ବହୁତ କମ୍ ଖର୍ଚ୍ଚ ଥିବା ସ୍କୁଲରେ ମେଣ୍ଟରିଙ୍ଗ୍ର ଧାରଣାକୁ ପ୍ରୋତ୍ସାହିତ କରିବ। ଆଦେଶ ଅନୁସାରେ, ୭୦ରୁ କମ୍ ବର୍ଷ ବୟସର ଶିକ୍ଷକ, ଶିକ୍ଷୟିତ୍ରୀମାନେ କାଉନସେଲିଂ ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ସେମାନଙ୍କ କାର୍ଯ୍ୟକାଳ ୧ ବର୍ଷ ରହିବ। ମନୋନୀତ ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଚୁକ୍ତି ନବୀକୃତ ହେବା ପୂର୍ବରୁ ୧ ବର୍ଷ ପରେ ତାଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ ହେବ।