ମିଥୁନଙ୍କୁ ରାଜ୍ୟ ସରକାରରେ ନୂଆ ଭୂମିକା, ମିଳିଲା କ୍ୟାବିନେଟ୍ ପାହ୍ୟା

କୋଲକାତା: ଅଭିନେତାରୁ ରାଜନୀତିକୁ ଆସିଥିବା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସରକାରରେ ମିଳିଛି ନୂଆ ଦାୟିତ୍ୱ। ରାଜ୍ୟର ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗର ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତ କରାଯିବା ସହ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି।
ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ମିଥୁନଙ୍କ ନିଯୁକ୍ତି ତୁରନ୍ତ ପ୍ରଭାବରୁ ଲାଗୁ ହୋଇଛି। ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ବିଜ୍ଞପ୍ତିରେ ଏହି ନିଯୁକ୍ତି ଜନସ୍ୱାର୍ଥରେ କରାଯାଇଥିବା ଉଲ୍ଲେଖ ରହିଛି।
ପଶ୍ଚିମବଙ୍ଗର ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧୀନରେ ରହିଛି। ନିକଟରେ ବରିଷ୍ଠ ଅଭିନେତା ଉତ୍ତମ କୁମାରଙ୍କ ଜନ୍ମଶତବାର୍ଷିକୀ ସମ୍ପର୍କିତ କାର୍ଯ୍ୟକ୍ରମରେ ମିଥୁନଙ୍କୁ ସାଂସ୍କୃତିକ ପରାମର୍ଶଦାତା କରାଯିବା ନେଇ ଘୋଷଣା ହୋଇଥିଲା।
ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଦୀର୍ଘଦିନର ଅଭିଜ୍ଞତା ଥିବା ମିଥୁନଙ୍କୁ ଏହି ଦାୟିତ୍ୱ ମିଳିବା ପରେ ରାଜ୍ୟର ଚଳଚ୍ଚିତ୍ର ଓ ସାଂସ୍କୃତିକ କ୍ଷେତ୍ରରେ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ନଜର ରହିଛି। ବିଜେପିରେ ଯୋଗଦେବା ପରେ ମିଥୁନ ପଶ୍ଚିମବଙ୍ଗ ରାଜନୀତିରେ ଦଳର ପ୍ରଚାରକ ଭାବେ ସକ୍ରିୟ ରହିଛନ୍ତି।



