Breaking PLUSଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଅକ୍ଟୋବର ୩୧ରୁ ଆଶୁତୋଷ ଦୀକ୍ଷିତ ହେବେ ନୂଆ ବାୟୁସେନା ମୁଖ୍ୟ

 

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତିକୁ କେନ୍ଦ୍ର ସରକାର ମଙ୍ଗଳବାର ଅନୁମୋଦନ କରିଛନ୍ତି। ସେ ଅକ୍ଟୋବର ୩୧ରେ ଦେଶର ୨୯ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ଏବଂ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ପଦରେ ରହିବେ। ବର୍ତ୍ତମାନ ସେ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଜାରି ସରକାରୀ ବିଜ୍ଞପ୍ତିରେ ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। ଦୀକ୍ଷିତ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ନେବେ। ଅମର ପ୍ରୀତ ସିଂହ ଅକ୍ଟୋବର ୩୧ରେ ଅବସର ନେବେ।

ପ୍ରାୟ ୪ ଦଶନ୍ଧିର କ୍ୟାରିୟରରେ ଦୀକ୍ଷିତ ୩,୫୦୦ରୁ ଅଧିକ ଘଣ୍ଟା ବିଭିନ୍ନ ଯୁଦ୍ଧବିମାନ ଉଡ଼ାଇଛନ୍ତି। ମିରାଜ-୨୦୦୦, ମିଗ୍‌, ଜାଗୁଆର, ଏଲ୍‌ସିଏ ତେଜସ୍‌ ଆଦି ବିମାନ ଉଡ଼ାଇବାର ଅଭିଜ୍ଞତା ତାଙ୍କର ରହିଛି। ସେ ଚିଫ୍‌ ଅଫ୍‌ ଇଣ୍ଟିଗ୍ରେଟେଡ୍‌ ଡିଫେନ୍ସ ଷ୍ଟାଫ୍‌ ଏବଂ ସେଣ୍ଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ମଧ୍ୟ ରହିଛନ୍ତି। ତାଙ୍କୁ ବାୟୁସେନା ପଦକ, ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଓ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯାଇଛି।

Show More

Related Articles

Back to top button