
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ’ ନିମନ୍ତେ ଚଳିତମାସ ୧୭ତାରିଖରେ ହାଇଦ୍ରାବାଦରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଫିକ୍କି ସହଯୋଗରେ ହେବାକୁ ଥିବା ଏହି ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ସୂଚନାମିଳିଛି । ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ ପରେ ହାଇଦ୍ରାବାଦରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ନିବେଶକଙ୍କ ସହ ୱାନ-ଟୁ-ୱାନ୍ ବୈଠକ ଓ ନିବେଶକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ସେଥିପାଇଁ ନିଜର ଜନ୍ମଦିନ ଅକ୍ଟୋବର ୧୬ତାରିଖରେ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦିନ ହ୍ରାଇଦ୍ରାବାଦ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୭ତାରିଖରେ ନିବେଶକ, ଶିଳ୍ପପତି ଓ ବିଭିନ୍ନ ବ୍ୟବସାୟିକ କମ୍ପାନୀର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ ମଧ୍ୟ କରିବେ।ସୂଚନାଅନୁସାରେ, ସେପ୍ଟେମ୍ବର ୨୮ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ଶିଳ୍ପପତିମାନଙ୍କୁ ଭେଟିବା ସହ ମେକ୍ ଓଡ଼ିଶା କନକ୍ଳେଭକୁ ଆମନ୍ତ୍ରଣ କରିଥିଲେ।