ଗୁଜରାଟ ସଚିବାଳୟକୁ ବୋମାରେ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ

ଗାନ୍ଧୀନଗର: ଗୁଜରାଟ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଧାନସଭା ସମେତ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇବା ଧମକ ଦେଇ ଇ-ମେଲ୍ ପଠାଇବା ଘଟଣାରେ ଗୁଜରାଟ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ବିହାରର ଭାଗଲପୁର ଓ ଝାଡ଼ଖଣ୍ଡର ଦେଓଘରରୁ ଅଭିଯୁକ୍ତଦ୍ୱୟଙ୍କୁ ଧରାଯାଇଛି।
ସାଇବର ସେଣ୍ଟର ଅଫ୍ ଏକ୍ସଲେନ୍ସର ସୂଚନା ଅନୁସାରେ, ସେପ୍ଟେମ୍ବର ୧୦ରେ ଗୁଜରାଟ ଆଇନ ଓ ସଂସଦୀୟ ବ୍ୟାପାର ବିଭାଗର ସରକାରୀ ଇ-ମେଲ୍କୁ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ଏଥିରେ ଭାରତକୁ ସମର୍ଥନ କରିଥିବା ବ୍ରିକ୍ସ ଦେଶଗୁଡ଼ିକ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବୋମାରେ ଉଡ଼ାଇବା ଧମକ ଦିଆଯାଇଥିଲା।
ତଦନ୍ତ ପରେ ପୋଲିସ ପ୍ରଥମେ ଭାଗଲପୁରରୁ ରୋଶନ କୁମାର ରାଜେନ୍ଦ୍ର କୁମାର ଭୂମିହାରଙ୍କୁ ଗିରଫ କରିଥିଲା। ତାଙ୍କ ସୂଚନା ଆଧାରରେ ଦେଓଘରରୁ କଥିତ ମୁଖ୍ୟ ଅଭିଯୁକ୍ତ ଗୁଲଶନ କୁମାର କୌଶଲ ସିଂହଙ୍କୁ ଗିରଫ କରାଯାଇଛି।
ତଦନ୍ତ ସମୟରେ ଅଭିଯୁକ୍ତଙ୍କଠାରୁ ୫ ଲକ୍ଷ ୧୩ ହଜାର ୮୪୭ଟି ଇ-ମେଲ୍ ଆଇଡି ଓ ପାସୱାର୍ଡ ଥିବା ତାଲିକା ଜବତ ହୋଇଛି। ଏହି ଆଇଡିଗୁଡ଼ିକୁ ଧମକପୂର୍ଣ୍ଣ ମେଲ୍ ଓ ଅନ୍ୟ ସାଇବର ଅପରାଧରେ ବ୍ୟବହାର କରାଯିବାର ସନ୍ଦେହ ରହିଛି। ଏହି ନେଟୱର୍କର ବାଂଲାଦେଶ ସଂଯୋଗ ଥିବା ଏବଂ କ୍ରିପ୍ଟୋ ୱାଲେଟ୍ ମାଧ୍ୟମରେ ଆର୍ଥିକ କାରବାର ହେଉଥିବା ପୋଲିସ କହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।



