ନନ୍ଦିଗ୍ରାମରୁ ଲଢ଼ିବେନି ମମତା, ଟିଏମସି ଦେଲା ନୂଆ ପ୍ରାର୍ଥୀ

କୋଲକାତା: ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ନନ୍ଦିଗ୍ରାମରୁ ମମତା ବାନାର୍ଜୀ ନିଜେ ନିର୍ବାଚନ ଲଢ଼ିବେନି। ତୃଣମୂଳ କଂଗ୍ରେସ ଏହି ଆସନ ପାଇଁ ସଞ୍ଚିତା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏହାସହ ରେଜିନଗର ଆସନ ପାଇଁ ଦଳ ରବିଉଲ ଆଲମ ଚୌଧୁରୀଙ୍କ ନାମ ଘୋଷଣା କରିଛି।
ଆସନ୍ତା ୬ ତାରିଖରେ ଉଭୟ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଛାଡ଼ିବା ପରେ ଏହା ଖାଲି ହୋଇଥିବା ବେଳେ ରେଜିନଗର ଆସନରୁ ଆମ ଜନତା ଉନ୍ନୟନ ପାର୍ଟିର ପ୍ରତିଷ୍ଠାତା ହୁମାୟୁଂ କବୀରଙ୍କ ଇସ୍ତଫା ପରେ ଉପନିର୍ବାଚନ ଆବଶ୍ୟକ ହୋଇଛି।
ନନ୍ଦିଗ୍ରାମ ପଶ୍ଚିମବଙ୍ଗ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଆସନ। ଦୀର୍ଘଦିନ ଧରି ଏଠାରେ ଟିଏମସି ଓ ବିଜେପି ମଧ୍ୟରେ ତୀବ୍ର ରାଜନୈତିକ ଲଢ଼େଇ ଜାରି ରହିଛି। ୨୦୦୭ରେ ଭୂମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନର କେନ୍ଦ୍ର ପାଲଟିଥିବା ନନ୍ଦିଗ୍ରାମ ମମତା ବାନାର୍ଜୀଙ୍କ ରାଜନୈତିକ ଯାତ୍ରାରେ ଏକ ଐତିହାସିକ ସ୍ଥାନ ରଖିଛି। ଏହି ଆନ୍ଦୋଳନ ପରେ ରାଜ୍ୟରେ ତାଙ୍କ ରାଜନୈତିକ ପ୍ରଭାବ ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।



