ବିହାର ବନ୍ୟା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି କଲେ ତେଜସ୍ୱୀ

ପାଟନା: ବିହାରରେ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବା ସହ ବହୁ ଘରଦ୍ୱାର ନଷ୍ଟ ହୋଇଛି। ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ କେନ୍ଦ୍ର ସରକାର ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଆରଜେଡି ନେତା ତେଜସ୍ୱୀ ଯାଦବ ଦାବି କରିଛନ୍ତି।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ତେଜସ୍ୱୀ କହିଛନ୍ତି, ରାଜ୍ୟ ସରକାରଙ୍କ ରାଜକୋଷ ଦୁର୍ବଳ ଥିବାରୁ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସ୍ୱତନ୍ତ୍ର ପ୍ୟାକେଜ ଦେବା ଆବଶ୍ୟକ। କେନ୍ଦ୍ର ବିହାର ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ସେ ଅଭିଯୋଗ କରିବା ସହ ବନ୍ୟାଞ୍ଚଳରେ ଆରଜେଡି କର୍ମୀମାନେ ପ୍ରଭାବିତଙ୍କୁ ସହାୟତା କରୁଥିବା କହିଛନ୍ତି। ବିହାର ସରକାର ରିଲିଫ୍ ପ୍ରଦାନରେ ଅବହେଳା କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅନୁସାରେ, ବିହାରର ୧୪ଟି ଜିଲାର ୮୪ଟି ବ୍ଲକରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଗଙ୍ଗା ସମେତ ବିଭିନ୍ନ ନଦୀର ଜଳସ୍ତର କମୁଥିବା ବେଳେ ରିଲିଫ୍ କାର୍ଯ୍ୟ ଜୋରଦାର କରାଯାଇଛି। ଭାଗଲପୁରରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ ପରିବାରର ୬.୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।



