Breaking PLUSଓଡ଼ିଶାମୁଖ୍ୟ ଖବର

ଓମଫେଡ୍‌ର ନୂଆ ଯୋଜନା: ବଜାରକୁ ଆସିବ ପ୍ୟାକେଟ୍‌ ପାଣି, ନୂଆ ଆଇସକ୍ରିମ୍

ଭୁବନେଶ୍ୱର: ଦୁଗ୍ଧଜାତ ଉତ୍ପାଦ ବାହାରେ ଏବେ ଅନ୍ୟ କ୍ଷେତ୍ରରେ ମଧ୍ୟ ପାଦ ରଖିବ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ (ଓମଫେଡ୍‌)। ପ୍ୟାକେଟ୍‌ ଯୁକ୍ତ ପାନୀୟ ଜଳ ଏବଂ ନୂଆ ପ୍ରକାରର ଆଇସକ୍ରିମ୍‌ ବଜାରକୁ ଆଣିବା ନେଇ ପ୍ରସ୍ତୁତି ଚାଲିଛି। ଏନେଇ ଓମଫେଡ୍‌ ବୋର୍ଡ ସହ ଆଲୋଚନା ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବୋର୍ଡର ଅନୁମୋଦନ ପରେ ଏହି ଦୁଇ ନୂଆ ଉତ୍ପାଦ ବଜାରରେ ମିଳିବ। ଏହାଦ୍ୱାରା ଓମଫେଡ୍‌ର ଉତ୍ପାଦ ପରିସର ବଢ଼ିବା ସହ ଉପଭୋକ୍ତାଙ୍କ ପାଇଁ ନୂଆ ବିକଳ୍ପ ଉପଲବ୍ଧ ହେବ।

ଏପଟେ ରାଜ୍ୟରେ କ୍ଷୀର, ପନିର ଓ ଛେନାରେ ଭେଜାଲ ନେଇ ଅଭିଯୋଗ ଆସୁଥିବା ବେଳେ ଓମଫେଡ୍‌ ଉତ୍ପାଦର ଗୁଣବତ୍ତାକୁ ନେଇ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଓମଫେଡ୍‌ କ୍ଷୀରରେ ତିନି ପର୍ଯ୍ୟାୟରେ ଗୁଣବତ୍ତା ଯାଞ୍ଚ କରାଯାଏ। ଭେଜାଲକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଏ ନାହିଁ ଏବଂ ଏଭଳି ଘଟଣା ଧରାପଡ଼ିଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୁଏ ବୋଲି ସେ କହିଛନ୍ତି।

ଦୁଗ୍ଧ ଚାଷୀଙ୍କ ଆୟ ବଢ଼ାଇବା ଓ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ଓମଫେଡ୍‌ କ୍ଷୀର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିବା ମଧ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Show More

Related Articles

Back to top button