ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ମାଓବାଦୀ ଲିଙ୍କରେ ୨୦୧୭ରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ପାଇଥିବା ସାଇବାବାଙ୍କୁ ତୁରନ୍ତ ଖଲାସ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ରାୟ ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହାର ଅର୍ଥ ସାଇବାବାଙ୍କୁ ଜେଲରେ ରହିବାକୁ ପଡ଼ିବ। ବମ୍ବେ ହାଇକୋର୍ଟ ସାଇବାବାଙ୍କ ସମେତ ଆଉ ୫ ଜଣଙ୍କୁ ମଧ୍ୟ ମାଓବାଦୀ ଲିଙ୍କରେ ଦୋଷମୁକ୍ତ କରିଥିଲେ। କିନ୍ତୁ ଏହା ବିରୋଧରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ସାଇବାବାଙ୍କ ରିଲିଜ ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ସାଇବାବା ଓ ଦୋଷମୁକ୍ତ ହୋଇଥିବା ଅନ୍ୟମାନଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି। ଡିସେମ୍ବର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୁପ୍ରିମକୋର୍ଟ କହିଛନ୍ତି, “ଅଭିଯୁକ୍ତମାନଙ୍କୁ ଘଟଣାର ସବୁ ପ୍ରମାଣକୁ ଯାଞ୍ଚ କରି ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେମାନଙ୍କ ବିରୋଧରେ ଆସିଥିବା ଅଭଯୋଗ ଅତ୍ୟନ୍ତ ସମ୍ବେଦନଶୀଳ। ଏହା ସମାଜର ସ୍ୱାର୍ଥ ବିରୋଧୀ। ଭାରତର ସାର୍ବଭୌମତ୍ତ୍ୱ ଓ ଅଖଣ୍ଡତା ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରୁଛି। ଏହାପରେ ବମ୍ବେ ହାଇକୋର୍ଟ ଅକ୍ଟୋବର ୧୪ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ନିଲମ୍ବିତ କରିଛନ୍ତି। ଆଜି ଶନିବାର ହୋଇଥିଲେ ମଧ୍ୟ ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀ ଆବେଦନର ଶୁଣାଣି କରିଥିଲେ। ଏଥିସହ ଜିଏନ ସାଇବାବାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସାଇବାବା ନିଜର ଶାରୀରିକ ଅକ୍ଷମତା ଓ ଅସୁସ୍ଥତା କାରଣରୁ ମାମଲାର ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଗୃହବନ୍ଦୀ ଭାବେ ରହିବାକୁ ଅନୁମତି ମିଳୁ ବୋଲି ଅନୁରୋଧ କରିଥିଲେ।

 

Show More

Related Articles

Back to top button