ପ୍ରଧାନମନ୍ତ୍ରୀଙ୍କ ନିକଟରେ କେଜ୍ରିଓ୍ଵାଲଙ୍କ ଦାବି । ଭାରତୀୟ ମୁଦ୍ରାରେ ଲଗାଯାଉ ଲକ୍ଷ୍ମୀ ଏବଂ ଗଣେଶଙ୍କ ଛବି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ମାଧ୍ୟମରେ ଏଭଳି ଅପିଲ କରିଛନ୍ତି ।
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ଵାଲ କହିଛନ୍ତି, ନୋଟର ଗୋଟିଏ ପାର୍ଶ୍ଵରେ ଗାନ୍ଧୀ ଜୀଙ୍କ ଫଟୋ ରହୁ ଏବଂ ଅନ୍ୟ ପାର୍ଶ୍ଵରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରହୁ। ଏପରି କଲେ ସୁଖ ସମୃଦ୍ଧି ଆସିବ । ଦୀପାବଳି ରାତିରେ ପୂଜା କରିବା ସମୟରେ ମନରେ ଏହି ବିଚାର ଆସିଥିଲା। ଏ ବିଷୟରେ ଅନେକ ଲୋକଙ୍କ ସହିତ କଥା ହେଲି। ଲାଗୁଛି ଏହା ଉପରେ କେହି ଆପତ୍ତି କରିବା ଉଚିତ୍ ନୁହେଁ।
ଡଲାର ତୂଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେବା ଉପରେ ସେ କହିଛନ୍ତି, ଉଦ୍ୟମ ତେବେ ସଫଳ ହେବ ଯେବେ ଦେବୀ-ଦେବତାଙ୍କ ଆଶୀର୍ବାଦ ସାଥିରେ ଥିବ। ଖରାପ ଅର୍ଥନୀତିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ଏହି କାରଣରୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି। ଆମେ ସମସ୍ତେ ଚାହୁଁଛୁ ଭାରତ ଧନୀ ଦେଶରେ ପରିଣତ ହେଉ ଏବଂ ଭାରତବାସୀ ଧନୀ ପରିବାର ହେଉ। ଏଥିପାଇଁ ବହୁତ ପଦକ୍ଷେପ ନେବାକୁ ପଡିବ।ଆମକୁ ବଡ ସଂଖ୍ୟାରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବାର ଅଛି। ଭିତ୍ତିଭୂମି ପ୍ରସ୍ତୁତ କରିବାର ଅଛି।